ଅନ୍‌ଲାଇନ୍‌ରେ ମିଳିବ କ୍ୟାରେକ୍ଟର ସାର୍ଟିଫିକେଟ୍‌

ଭୁବନେଶ୍ଵର : କ୍ୟାରେକ୍ଟର ସାର୍ଟିଫିକେଟ୍‌ ବା ଚରିତ୍ର ପ୍ରମାଣପତ୍ର ପାଇଁ ଆଉ ପୋଲିସ୍‌ କମିଶନରଙ୍କ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବନି । ଦେଶର ଯେ କୌଣସି ସ୍ଥାନରେ ଥିଲେ ବି ମିଳିଯିବ ସାର୍ଟିଫିକେଟ୍‌ । କାରଣ ଏଣିକି ଅନ୍‌ଲାଇନ୍‌ରେ କ୍ୟାରେକ୍ଟର ସାର୍ଟିଫିକେଟ୍‌ ଆବେଦନ କରିହେବ । ୭ରୁ ୧୦ ଦିନ ମଧ୍ୟରେ ମିଳିଯିବ ଏହି ସାର୍ଟିଫିକେଟ୍‌ । ଏନେଇ ଗୁରୁବାର ପୋଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି, କ୍ୟାରେକ୍ଟର ସାର୍ଟିଫିକେଟ୍‌ ପାଇଁ ସବୁଦିନ ଗହଳି ଲାଗି ରହୁଥିଲା । ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତିଙ୍କର ଯଦି କ୍ୟାରେକ୍ଟର ସାର୍ଟିଫିକେଟ୍‌ ଦରକାର ହେଉଥିଲା ସେମାନେ ଖର୍ଚ୍ଚାନ୍ତ ହୋଇ ଏଠାକୁ ଆସୁଥିଲେ । ମାତ୍ର ଏବେ ଏଥିପାଇଁ ଆଉ ପୋଲିସ ପାଖକୁ ଆସିବା ଦରକାର ପଡିବ ନାହିଁ । ‘ସହାୟତା’ ଆପ୍‌ ଓ ‘ସିଟିଜେନ୍‌ ପୋଟାଲ୍‌’ରେ ଆବେଦନ କଲେ ମିଳିଯିବ ସାର୍ଟିଫିକେଟ୍‌ । ଖାଲି କ୍ୟାରେକ୍ଟର ସାର୍ଟିଫିକେଟ୍‌ ନୁହେଁ, ଏମ୍ପେ୍ଲାଇ ଭେରିଫିକେସନ୍‌, ଟେନାଣ୍ଟ ଭେରିଫିକେସନ୍‌, ଡୋମେଷ୍ଟିକ୍‌ ହେଲ୍‌ପ୍‌ ଭେରିଫିକେସନ୍‌ ପାଇଁ ମଧ୍ୟ ଅନ୍‌ଲାଇନ୍‌ରେ ଆବେଦନ କରାଯାଇପାରିବ । ଲୋକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ମତାମତ ଦିଅନ୍ତୁ ।