ଅଭିଯୋଗ ସମାଧାନ କରିବ କ୍ଷମତା ଏକ୍ସପ୍ରେସ୍

ଭୁବନେଶ୍ୱର : ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଶାରୀରିକ ଓ ମାନସିକ ସମସ୍ୟା ଅବା ବାର୍ଦ୍ଧକ୍ୟ ହେତୁ ନିଜ ଅଭିଯୋଗ ଜଣାଇବା ପାଇଁ ସରକାରଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି। ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ଭତ୍ତା ପାଇବା ପାଇଁ ବିଭାଗ ପାଖରେ ଗୁହାରି କରି ପାରୁନାହାନ୍ତି। କିନ୍ତୁ ଏବେ ସେମାନଙ୍କ ନିକଟରେ ପହଞ୍ଚିବ କ୍ଷମତା ଏକ୍ସପ୍ରେସ୍ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇ ଥିବା ଏହି ଏକ୍ସପ୍ରେସ୍‌ ପ୍ରତି ଜିଲାରେ ପହଞ୍ଚିବ। ଏଠାରେ ଦିବ୍ୟାଙ୍ଗ ବ୍ୟକ୍ତି ବିଭାଗ ପକ୍ଷରୁ ଦିଆଯାଉ ଥିବା ଭତ୍ତା ଓ ସହାୟତା ସମ୍ପର୍କରେ କିଛି ସମସ୍ୟା ଥିଲେ ଅବା ନିଜ ନାମ ସଂଯୋଗ କରିବାକୁ ଚାହୁଁଥିଲେ କ୍ଷମତା ଏକ୍ସପ୍ରେସ୍ ଶିବିରରେ କର୍ତ୍ତୃପକ୍ଷଙ୍କୁ ଜଣାଇବାର ସୁଯୋଗ ପାଇବେ। ଏଥିସହ ବିିଭାଗ ପକ୍ଷରୁ ବିଭିନ୍ନ ପ୍ରମାଣପତ୍ର ମଧ୍ୟ ଯୋଗାଇ ଦିଆଯିବ। ଭୀମଭୋଇ ସାମର୍ଥ୍ୟ ଅଭିଯାନ ଅନ୍ତର୍ଗତ କ୍ଷମତା ଏକ୍ସପ୍ରେସ୍ ଶିବିର ପ୍ରତି ମାସ ଗୋଟିଏ ଲେଖାଏଁ ଜିଲାରେ ୧୦ରୁ ୧୫ଟି ଶିବିର ଆୟୋଜିତ ହେବ। ଦିବ୍ୟାଙ୍ଗ ହୁଅନ୍ତ ଅବା ବିଧବା ମହିଳା, କ୍ଷମତା ଏକ୍ସପ୍ରେସ୍ ଶିବିରରୁ ସେମାନଙ୍କର ବହୁବିଧ ସମସ୍ୟାର ସମାଧାନ ସୁନିଶ୍ଚିତ କରାଇବା ପାଇଁ ବିଭାଗୀୟ ଶାସନ ସଚିବ ନୀତିନ ଚନ୍ଦ୍ର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିବା ପାଇଁ ପୂର୍ବରୁ ଜିଲାସ୍ତରରେ ଶିବିର ଆୟୋଜନ କରାଯାଉ ଥିଲା। କିନ୍ତୁ ଏହାକୁ ତ୍ବରାନ୍ମିତ କରିବା ଉଦ୍ଦେଶ୍ୟରେ କ୍ଷମତା ଏକ୍ସପ୍ରେସ୍ ଶିବିର ଆୟୋଜନ ଜୁନ୍ ମାସରୁ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଏନ୍‌ଏଜିଓଙ୍କୁ ଏହି ଶିବିର ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ କ୍ଷମତା ଏକ୍ସପ୍ରେସ୍ ଏକ ଭ୍ରାମ୍ୟମାଣ ଶିବିର, ଯାହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆୟୋଜିତ ହେଉଛି। ଏହି ଶିବିରରେ ଅଭିଜ୍ଞ ଡ଼ାକ୍ତର, ସହଯୋଗୀ କର୍ମଚାରୀ ଦିବ୍ୟାଙ୍ଗଙ୍କୁ ଚିକିତ୍ସା କରିବେ।
ସେହିପରି ପରାମର୍ଶ, ଦରକାରୀ ଉପକରଣ ବଣ୍ଟନ ଓ ମରାମତି, ପରୀକ୍ଷା ସୁବିଧା ଉପଲବ୍ଧ ହେଉଛି। ଏହି କାର୍ଯ୍ୟକ୍ରମରେ ଅପହଞ୍ଚ ଓ ଗ୍ରାମପଞ୍ଚାୟତକୁ ଅଧିକ ଗୁରୁତ୍ବ ଦିଆଯିବ। ଏଥିରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ସମାଜ କଲ୍ୟାଣ ଅଧିକାରୀ, ମୁଖ୍ୟ ଚିକିତ୍ସାଧିକାରୀ, ଶିକ୍ଷା ଅଧିକାରୀ, ଜିଲା ପୁନର୍ବାସ କେନ୍ଦ୍ର କର୍ମକର୍ତ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ଅଧିକାରୀଙ୍କ ସମେତ ଶିବିର ଆୟୋଜନ କରୁଥିବା ବେସରକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର ବ୍ୟକ୍ତବିଶେଷ ଉପସ୍ଥିତ ରହିବେ। ସେହିପରି ଶିବିର ଆୟୋଜନ ସମ୍ପର୍କରେ ଆଶାଦିଦି, ଅଙ୍ଗନବାଡ଼ି କର୍ମୀ, ପଞ୍ଚୟତିରାଜ ପ୍ରତିନିଧି ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଲୋକଙ୍କୁ ସୂଚନା ଦେବେ। ସମ୍ପୃକ୍ତ ସଂସ୍ଥା ଶିବିର ଆୟୋଜନ ପରେ ବିଭାଗକୁ ତାହାର ସବିଶେଷ ବିବରଣୀ ପ୍ରଦାନ କରିବେ।

ମତାମତ ଦିଅନ୍ତୁ ।