ଅଳସୁଆ ମନ୍ଦିର

0

॥ ଦୀନବନ୍ଧୁ ନାୟକ ॥ ଗୋଟିଏ ଦେଶରେ ଜଣେ ଦୟାଳୁ ପ୍ରଜାବତ୍ସଳ ରାଜା ଥିଲେ। ପ୍ରଜାମାନଙ୍କ ହିତ ଚିନ୍ତାରେ ଅହରହ ବ୍ୟସ୍ତ ରହୁଥିଲେ। ଛଦ୍ମବେଶରେ ରାଜ୍ୟସାରା ଭ୍ରମଣକରି ଜାଣି ପାରିଲେ ଯେ କେତେଜଣ ନିପଟ ଅଳସୁଆ ଜୀଅନ୍ତା କାଠଗଣ୍ଡି ପରି କାଳାତିପାତ କରୁଛନ୍ତି। ଦୟାପରବଶ ହୋଇ ରାଜ୍ୟର ସବୁ ଅଳସୁଆମାନଙ୍କୁ ଆଣି ନଗର ବାହାରେ ସେମାନଙ୍କର ରହିବା ଖାଇବା ପିଇବାର ବନ୍ଦୋବସ୍ତ କରିଦେଲେ। ଆଉ ଯଦି କୌଣସି ଅଳସୁଆ ଆସନ୍ତି, ସେମାନଙ୍କୁ ମଧ୍ୟ ଏଠାରେ ରହିବାର ସୁଯୋଗ ଦେବାକୁ କର୍ମଚାରୀମାନଙ୍କୁ ଆଦେଶ ଦେଲେ।

ରାଜାଙ୍କର ଏତାଦୃଶ ଆଦେଶ ଯୋଗୁଁ ରାଜ୍ୟର ଯେତେ ଅଳସୁଆ, ଠକ, ଠାପୁଆ, କର୍ମକୁଣ୍ଠ ଲୋକଥିଲେ, ବିନା ପରିଶ୍ରମରେ ଖାଇପିଇ ଗଡିବା ପାଇଁ ସେମାନେ ପ୍ରତିଦିନ ଅଳସୁଆ ପରିଚୟ ଦେଇ ଏଠାକୁ ଆସିବାକୁ ଲାଗିଲେ। ଅଳସୁଆଙ୍କ ସଂଖ୍ୟା ଏତେ ବଢିଗଲା ଯେ ସେମାନଙ୍କ ଦାୟିତ୍ୱ ବୁଝିବା କର୍ମଚାରୀମାନଙ୍କର ତଥା ମନ୍ତ୍ରୀଙ୍କର ମୁଣ୍ଡବ୍ୟଥାର କାରଣ ହୋଇଗଲା। ମନ୍ତ୍ରୀ ଚିନ୍ତାକଲେ, ଯଦି ପ୍ରତିଦିନ ଏ ନକଲି ଅଳସୁଆଙ୍କ ସୁଅ ଛୁଟେ, ତେବେ ରାଜ୍ୟର ପ୍ରଜାମାନେ କାମଧନ୍ଦା ଛାଡି ଏଠାରେ ଖାଇପିଇ ଆରାମରେ ଗଡିବେ। ପ୍ରଜାମାନେ କର୍ମକୋଢି ହୋଇଯିବେ। ଆଦୌ କାମଧନ୍ଦା କରିବେନି। ରାଜ୍ୟ ଉଚ୍ଛନ୍ନ ହୋଇଯିବ। ରାଜକୋଷ ମଧ୍ୟ ଶୂନ୍ୟ ହୋଇଯିବ। ରାଜାଙ୍କ ନିକଟରେ ବହୁବାର ଏ ଚିନ୍ତା ପ୍ରକଟକଲେ ବି ଦୟାଳୁ ରାଜା କିଛି ଶୁଣିବାକୁ ନାରାଜ ଥିଲେ, ବରଂ ପ୍ରଜାମାନଙ୍କ ହିତ କରୁଛନ୍ତି ବୋଲି ସନ୍ତୁଷ୍ଟ ଥିଲେ।

କଥାରେ ଅଛି – ରାଜା ଷୋଳକଳା ହେଲେ ମନ୍ତ୍ରୀ ବତିଶକଳା। ଚୋର ଚୌଷଠିକଳା। ଦିନେ ମନ୍ତ୍ରୀ ସମସ୍ତଙ୍କ ଅଜାଣତରେ ଅଳସୁଆମାନଙ୍କ ରହିବା ଘରେ, ଯାହାକୁ ପ୍ରଜାମାନେ ଥଟ୍ଟାରେ ‘ଅଳସୁଆ ମନ୍ଦିର’ ବୋଲି କହୁଥିଲେ ସେଥିରେ ନିଆଁଲଗାଇ ଦେଲେ। ନିଆଁ ଲାଗିବା ମାତ୍ରେ ସମସ୍ତେ ଜୀବନ ବିକଳରେ ଅଳସୁଆ ମନ୍ଦିର ଛାଡି ପଳାଇଲେ। କେବଳ ଦୁଇଟି ଲୋକ ନିଶ୍ଚଳ ଭାବେ ଶୋଇରହି ଥିଲେ। ମନ୍ତ୍ରୀ ସେମାନଙ୍କ ପାଖରେ ପହଂଚିବା ବେଳକୁ ନିଆ ଧାସ ଲାଗୁଥିବା ଲୋକଟି କହୁଛି- “ଘ.ପୋ.” – ଅର୍ଥାତ ‘ଘର ପୋଡିଯାଉଛି’। ଏତକ କଥା କହିବାକୁ ବି ସେ ଅଳସାଉଛି। ଆରଜଣକ କହୁଛି – “ବୁ. ଶୋ.” – ଅର୍ଥାତ୍ ‘ବୁଲିକି ଶୋ’। ମନ୍ତ୍ରୀ ଜାଣିଗଲେ ଏଇ ଦି’ଟା ହେଉଛନ୍ତି ଖାଂଟି ଅଳସୁଆ। ସେମାନଙ୍କୁ ଟାଣିବାହରକୁ ବାହାର କରିଦେଲେ। କେବଳ ସେହି ଦୁଇଜଣଙ୍କ ନିମନ୍ତେ ଅଳସୁଆ ମନ୍ଦିରର ସମସ୍ତ ବନ୍ଦୋବସ୍ତ କରିଦେଲେ। ରାଜାଜ୍ଞା ପାଳନ ହେଲା। ଉଦ୍ଦେଶ୍ୟ ବି ସାଧିତହେଲା।

ଏହା ଏକ କାଳ୍ପନିକକାହାଣୀ। କିନ୍ତୁ ଏହାର ମଞ୍ଜ କଥାଟିକୁ ଲକ୍ଷ୍ୟକଲେ ତାହା ଆମର ବର୍ତ୍ତମାନ ସମାଜ ସହିତ ମିଳିଗଲା ପରି ଲାଗୁଛି। ମାତୃ ଗର୍ଭରେ ଭୂୃଣଟିଏ ସଂଚରିତ ହେବା ଦିନଠାରୁ ମା’ ଓ ଗର୍ଭସ୍ଥ ସନ୍ତାନର ଯତ୍ନ, ରୋଗ ପ୍ରତିଷେଧକ ଟୀକା, ରକ୍ତହୀନତା ଦୂରୀକରଣ, ଗର୍ଭବତୀର ସାମୟିକ ପରୀକ୍ଷା, ନିରାପଦ ପ୍ରସବ ଏବଂ ପରେ ପରେ ମା’ ଓ ଶିଶୁର ସୁସ୍ଥଜୀବନ ପାଇଁ ବିଭିନ୍ନ ଯୋଜନା କରାଯାଇଛି। ପିଲାଟିର ଅଙ୍ଗନବାଡିଠାରୁ ସ୍କୁଲଶିକ୍ଷା ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ, ମଧ୍ୟାହ୍ନ ଭୋଜନ, ବହିଖାତା, ଜାମାପ୍ୟାଂଟ୍‌, ଜୋତା, ସାଇକେଲ, ଲାପ୍‌ଟାପ୍‌ ଇତ୍ୟାଦି ଯୋଗାଇ ଦିଆଯାଉଛି। ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା, ଋଣ, ପ୍ରୋତ୍ସାହନ ଦିଆଯାଉଛି। ବଡହେଲେ ଜୀବନ ନିର୍ବାହ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ, ରିହାତି ସୁଧରେ ଋଣ ଇତ୍ୟାଦି ଦିଆଯାଉଛି। ସାମୁହିକଭାବେ ସମିତି, ମଣ୍ଡଳି ପାଇଁ ବହୁତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଚାଳଘରକୁ ପକ୍କାଘର, ସୁଲଭ ଶୌଚାଳୟ, ମୋ ବଗିଚା, ମୋ ପୋଖରୀଠାରୁ ଆରମ୍ଭ କରି ପ୍ରତି ଘରକୁ ପାଇପ୍‌ଯୋଗେ ପାନୀୟଜଳ, ବିଜୁଳୀ, ରୋଷେଇ ପାଇଁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି। ମହିଳାସଶକ୍ତିକରଣ ନିମନ୍ତେ ଅନେକ ସାହାଯ୍ୟ, ପ୍ରୋତ୍ସାହନ ମଧ୍ୟ ମିଳୁଛି। ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ଚାଷ ଇତ୍ୟାଦି ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ପ୍ରୋତ୍ସାହନ, ରିହାତି, ଋଣଛାଡ ମିଳୁଛି। ଦୈବୀଦୁର୍ବିପାକ ପାଇଁ ଅନୁଦାନ ରାଶି ମିଳୁଛି। ଏପରିକି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ଶେଷକୃତ୍ୟ ପାଇଁ ସାହାଯ୍ୟ ମିଳୁଛି। ମୋଟ ଉପରେ ଜରାୟୂରୁ ଜୁଇ ପର୍ଯ୍ୟନ୍ତ ଜନସାଧାରଣ କିପରି ସୁବିଧାରେ, ଭଲରେ ରହିବେ, ତା’ର ବ୍ୟବସ୍ଥାମାନ କରାଯାଇଛି। ଏହାବାଦ୍ ବାର୍ଦ୍ଧକ୍ୟ ଭତ୍ତା, ବିଧବାଭତ୍ତା, ଦିବ୍ୟାଙ୍ଗଭତ୍ତା ଇତ୍ୟାଦି ଅନେକ ପ୍ରକାର ଭତ୍ତାର ବ୍ୟବସ୍ଥା କରାଯାଇଛି। ବିଶେଷକରି ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଗରିବଲୋକମାନଙ୍କୁ ଟଙ୍କିକିଆ ଚାଉଳ ମିଳୁଛି।

ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଲକ୍ଷ୍ୟକଲେ ଜଣାପଡେ, ଜନସାଧାରଣଙ୍କର ସାମାନ୍ୟତମ ଦୁଃଖକଷ୍ଟ ନ ହେଉ, ଏଥିପାଇଁ ସରକାର ସଦା ଜାଗ୍ରତ। ଏହା ଅତିଉତ୍ତମ କଥା। ଏଥିରେ ସଦ୍‌ଭାବନା, ସଦିଚ୍ଛା, ପ୍ରଗତି, ବିକାଶର ଭାବ ଭରପୂର ହୋଇ ରହିଛି। ଏଥିପାଇଁ ସରକାର ପ୍ରକୃତରେ ଧନ୍ୟବାଦର ପାତ୍ର। ପରନ୍ତୁ ଏହା ମୁଦ୍ରାର ଗୋଟିଏ ପାର୍ଶ୍ଵର। ଅପର ପାର୍ଶ୍ଵଟି କିନ୍ତୁ … ବହୁ କିନ୍ତୁର ସମାହାର। ଅଧିକାଂଶ ଯୋଜନାର କାର୍ଯ୍ୟାନ୍ୱୟନ ପଛରେ ‘କିନ୍ତୁ’ଟିଏ ଲଗାଯାଇପାରେ। ଏହାର ବର୍ଣ୍ଣନା ନିସ୍‌ପ୍ରୟୋଜନ। ନିରପେକ୍ଷଭାବେ ନିଜ ସାହିରେ, ଗ୍ରାମରେ, ଗ୍ରାମପଂଚାୟତରେ, ମହଲାରେ ଲକ୍ଷ୍ୟ କରନ୍ତୁ … ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭାନ୍ୱିତ ହେଉଥିବା ହିତାଧିକାରୀମାନଙ୍କ ମଧ୍ୟରୁ କେତେଜଣ ପ୍ରକୃତ ହିତାଧିକାରୀ ଓ କେତେଜଣ ନକଲି। ଖବର କାଗଜରେ ପ୍ରକାଶିତ ଏଇ କେତେମାସତଳର ଖବରଟିଏ … ସରକାରଙ୍କର ଜଣେ ବିଭାଗୀୟକର୍ତ୍ତା ଏକ ଧାନମଣ୍ଡିରେ ଅଚାନକ ପହଂଚିଗଲେ। ଜଣେ ସାଧାରଣ ଛୋଟଚାଷୀଠାରୁ ପଚାରି ବୁଝିଲେ ସେ ଚାଷୀଟି ଅମଳ କରିଥିବା ସବୁଯାକ ଧାନ ମଣ୍ଡିରେ ବିକ୍ରିକରିଦେଇ ଟଙ୍କିକିଆ ଚାଉଳ ଓ ଭତ୍ତାରେ ଚଳିଯାଉଛି। ଜଣେଚାଷୀ ଧାନ କ୍ୱିଂଟାଲ ପାଖାପାଖି ଦେଢହଜାର ଟଙ୍କାରେ ବିକି ମାସକୁ ମାସ ଟଙ୍କିକିଆ ୩୫ କିଲୋଚାଉଳ ପାଉଛି। ଏଥିପାଇଁ ଚାଷୀଟିକୁ ଦୋଷ ଦେଇହେବନି। ଏହା ବର୍ତ୍ତମାନ ସାଧାରଣ ଜନତାଙ୍କ ମାନସିକତା ହୋଇଯାଇଛି। ଅଳ୍ପ ପରିଶ୍ରମରେ ବା ବିନା ପରିଶ୍ରମରେ କଳେବଳେ କୌଶଳେ, ବାହୁବଳେ ବା ବୁଦ୍ଧିବଳେ ମିଳୁଥିବା ସବୁସୁବିଧା ସୁଯୋଗ ହାତେଇ ନେବା। ନୈତିକତାର ପ୍ରଶ୍ନ ଉଠୁନି, ସେ ସବୁ ଚୁଲିକୁ ଗଲାଣି। କେଉଁଟା ଅନୈତିକ ଏକଥା ଅନେକଙ୍କର ଚିନ୍ତାର ବହିର୍ଭୂତ ବିଷୟ।

ଦୈନିକ ଖବର କାଗଜ, ଟି.ଭି. ନ୍ୟୁଜ ଦେଖିଲେ, କେତେ ଅନୈତିକ କାର୍ଯ୍ୟକଳାପ, ଦୁର୍ନୀତି, ଚୋରୀଡକାୟତି, ଉତ୍ପାତ, ଲୁଣ୍ଠନ, ଦିନ ଦି’ପହରେ ବିଚ୍‌ରାସ୍ତାରେ ଲୁଟ୍‌ତରାଜ, ହତ୍ୟା, ବ୍ୟଭିଚାର, ଅନାଚାର ଦେଖିବାକୁ ମିଳୁଛି। ଯାହା ସାଧାରଣ ନାଗରିକର ‘ତାଜୁବ୍‌’କୁ ମଧ୍ୟ ତାଜୁବ୍‌କରିଦେଉଛି। ଏପରି ଅକଳ୍ପନୀୟ ବ୍ୟକ୍ତିଙ୍କ ସଂପର୍କରେ ଅଦ୍ଭୁତ ଖବରକୁ ବିଶ୍ୱାସ କରିହେଉନି, କିନ୍ତୁ ତାହା ଘଟୁଛି। କେବଳ ‘ହେ ଭଗବାନ !’ କହି ମୁଣ୍ଡରେ ହାତ ମାରିବା ଛଡା ଉପାୟ ନାହିଁ। ଏବେ ଉଦ୍ଭାବିତ ସାଇବର ଅପରାଧ ‘ଛୂମନ୍ତର’ କୁହୁକ ପରିଲାଗୁଛି। ଏପରି ମାନସିକତା ନେଇ ଆମେ କେଉଁଆଡେ ମୁହାଁଉଛେ ସହଜେ ଅନୁମେୟ। ମନେହୁଏ ମଣିଷର ମନ ଅପେକ୍ଷା ଉତ୍କୃଷ୍ଟତର ବୁଦ୍ଧିର ଏ ଖେଳ। କିନ୍ତୁ ଏହା ସୁବୁଦ୍ଧି ନୁହେଁ, କୁବୁଦ୍ଧି, ଦୁର୍ବୁଦ୍ଧି, ଶୈତାନୀବୁଦ୍ଧି। ତେଣୁ ସାଧୁ ସାବଧାନ ! ପ୍ରତ୍ୟେକ ଯୁଗରେ, କାଳରେ ଦୟାଳୁରାଜାଙ୍କ ପାଖରେ ବୁଦ୍ଧିମାନ ମନ୍ତ୍ରୀ ଥିଲେ। ଏବେ ଅଛନ୍ତି ଓ ଭବିଷ୍ୟତରେ ରହିବେ। ଦିନେ ନା ଦିନେ ଅଳସୁଆ ମନ୍ଦିରରେ ନିଶ୍ଚୟ ନିଆଁ ଲାଗିବ। କୁମନ, କୁବୁଦ୍ଧିର ଅନ୍ତ ଘଟିବ।

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା : ଯାଜପୁର
ମୋ : ୯୯୩୭୫୯୩୪୯୩

Leave A Reply

Your email address will not be published.