ଆଳିରେ ସଶସ୍ତ୍ର ଡକାୟତି: ଭୁଜାଲିରେ ଆକ୍ରମଣରେ ୪ ଗୁରୁତର

ଭୁବନେଶ୍ଵର : ଗୁରୁବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନାର ଭରତପୁର ଗାଁରେ ଦୁଇ ଜଣଙ୍କ ଘରେ ଡକାଯତି ହୋଇଛି। ଡକାୟତମାନେ ବିଳମ୍ବିତ ରାତିରେ ହାଡ଼ିବନ୍ଧୁ ସାହୁଙ୍କ ଘରେ ପଶିଥିଲେ। ଗ୍ରିଲ୍‌ ତାଡ଼ି କରିଥିଲେ ଡକାୟତି ଉଦ୍ୟମ। ଏହି ସମୟରେ ଘରଲୋକ ଉଠି ବିରୋଧ କରିବାରୁ ସେମାନଙ୍କୁ ଡକାୟତମାନେ ଭୁଜାଲିରେ ଆକ୍ରମଣ କରିଥିଲେ। ଏହାଦ୍ୱାରା ହାଡ଼ିବନ୍ଧୁ, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୁ ଗୁରୁତର ହୋଇଛନ୍ତି। ସେହିପରି ଅଲେଖ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ସମାନ ଢଙ୍ଗରେ ଚୋରିଥିବା ଅଭିଯୋଗ ହୋଇଛି। ହାଡ଼ିବନ୍ଧୁଙ୍କ ପରିବାର ଲୋକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ଭରତପୁର ଛକରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆଳି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।