ଉତ୍ତମ ପ୍ରଶାସନ ସୂଚକାଙ୍କ ତାଲିକାରେ ଓଡ଼ିଶାର ସ୍ଥାନ ୧୪

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ଗୁରୁବାର ଗୁଡ ଗଭର୍ଣ୍ଣାନ୍ସ ସୂଚକାଙ୍କ (ଜିଜିଆଇ) ତାଲିକା ଜାରି କରିଛନ୍ତି। ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ସୁଶାସନ ସୂଚୀର ପ୍ରଥସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଛତିଶଗଡକୁ ଚତୁର୍ଥସ୍ଥାନ, ଆନ୍ଧ୍ରପ୍ରଦେଶ ୫ମ, ଗୁଜରାଟ ଷଷ୍ଠ, ହରିୟାଣା ସପ୍ତମ ଓ କେରଳ ଅଷ୍ଟମ ସ୍ଥାନରେ ରହିଛି।

ସେହିପରି ମଧ୍ୟପ୍ରଦେଶ ନବମ ସ୍ଥାନରେ ଥିବା ବେଳେ ପଶ୍ଚିମବଙ୍ଗ ୧୦ମ, ତେଲେଙ୍ଗାନା ଏକାଦଶ, ରାଜସ୍ଥାନ ଦ୍ୱାଦଶ, ପଞ୍ଜାବ ତ୍ରୟୋଦଶ, ଓଡିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ବିହାରକୁ ପଞ୍ଚଦଶତମ ସ୍ଥାନ ମିଳିଥିବା ବେଳେ ଗୋଆ ଷୋଡଶ, ଉତ୍ତରପ୍ରଦେଶ ସପ୍ତଦଶ ଓ ଝାରଖଣ୍ଡ ଅଷ୍ଟାଦଶ ସ୍ଥାନରେ ରହିଛି। ସେହିପରି ପାର୍ବତ୍ୟାଞ୍ଚଳ ରାଜ୍ୟଙ୍କ ସୂଚୀରେ ହିମାଚଳ ପ୍ରଦେଶ ରହିଛି ଶୀର୍ଷରେ। ଦ୍ୱିତୀୟ ସ୍ଥାନରେ ଉତ୍ତରାଖଣ୍ଡ ଥିବା ବେଳେ ତୃତୀୟରେ ମିଜୋରାମ, ସିକ୍କିମ ଚତୁର୍ଥ, ଆସମ ପଞ୍ଚମ, ଜମ୍ମୁ-କାଶ୍ମୀର ଷଷ୍ଠ, ମଣିପୁର ସପ୍ତମ, ମେଘାଲୟ ଅଷ୍ଟମ, ନାଗାଲ୍ୟାଣ୍ଡ ନବମ ଓ ଅରୁଣାଚଳ ପ୍ରଦେଶ ୧୦ମ ସ୍ଥାନରେ ରହିଛି।

ଏହି ରାଙ୍କିଙ୍ଗରେ ରାଜ୍ୟ, କେନ୍ଦ୍ରଶାସିତ ଆଞ୍ଚଳ ଓ ପାର୍ବତ୍ୟାଞ୍ଚଳକୁ ବିଭକ୍ତ କରାଯାଇଛି। କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ, ତୃତୀୟରେ ଦିଲ୍ଲୀ, ଡାମନ ଓ ଡ୍ୟୁ ଚତୁର୍ଥ, ଆଣ୍ଡାମାନ ଓ ନିକୋବର ଆଇଲ୍ୟାଣ୍ଡ ପଞ୍ଚମ, ଦାଦର ଓ ନଗର ହାଭେଲି ଷଷ୍ଠ ଓ ଲାକ୍ଷାଦ୍ୱୀପକୁ ସପ୍ତମ ସ୍ଥାନ ମିଳିଛି। ମନ୍ତ୍ରାଳୟ ଅନୁସାରେ ରାଜ୍ୟମାନଙ୍କର ସୁଶାସନର ନିରପେକ୍ଷ ଆକଳନ ନିମନ୍ତେ ଏପର୍ଯ୍ୟନ୍ତ କୌଣସି ଏକ ସମାନ ମାନଦଣ୍ଡ ନାହିଁ। ତେବେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ନେଉଥିବା ବିଭିନ୍ନ ପଦକ୍ଷେପର ପ୍ରଭାବକୁ ଆକଳନ କରିବା ଲାଗି ମାନଦଣ୍ଡ ପ୍ରସ୍ତୁତି ଦିଗରେ ଏହା ଏକ ପ୍ରୟାଶମାତ୍ର ବୋଲି କୁହାଯାଇଛି।

ସେହିପରି ରାଙ୍କିଙ୍ଗ ବିଭିନ୍ନ କ୍ଷେତ୍ର ଯେପରି କୃଷି, ଉଦ୍ୟୋଗ ଆଦିକୁ ମଧ୍ୟ ସୂଚକାଙ୍କ ପ୍ରସ୍ତୁତିରେ ଉପଯୋଗ କରାଯାଇଛି। ଏଥିରେ ଆକାର ଅନୁସାରେ ବଡ ରାଜ୍ୟ ଶ୍ରେଣୀରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ରାଜସ୍ଥାନ ଓ ଛତିଶଗଡ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ଝାରଖଣ୍ଡ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ରହିଛି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା। ସାମାଜିକ କାର୍ଯ୍ୟକ୍ରମରେ ଛତିଶଗଡ ପ୍ରଥମ ସ୍ଥାନରେ ଥିବା ବେଳେ କୃଷି ଉତ୍ପାଦନ ଓ ଉପାର୍ଜନରେ ଛତିଶଗଡ ତୃତୀୟ ସ୍ଥାନରେ ରହିଛି।

ମତାମତ ଦିଅନ୍ତୁ ।