ଏଟିଏମ୍ ଜାଲିଆତି ରୋକିବାକୁ ଲାଗୁ ହୋଇପାରେ ନୂଆ ନିୟମ, ଥରେ ଟଙ୍କା ଉଠାଇଲେ ୬ରୁ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ : ଗୋଟିଏ ଥର ଏଟିଏମ୍ ରୁ ଟଙ୍କା ଉଠାଇବାର ୬ରୁ ୧୨ ଘଣ୍ଟା ଭିତରେ ଆଉ ଟଙ୍କା ଉଠାଯାଇ ପାରିବ ନାହିଁ। ଏହାଦ୍ୱାରା ଜାଲିଆତି କରି ଟଙ୍କା ଉଠାଇ ନେଉଥିବା ଲୁଟେରାମାନଙ୍କୁ ରୋକାଯାଇ ପାରିବ। ଦିଲ୍ଲୀ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏଭଳି ପ୍ରସ୍ତାବ ଦିଆଯାଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଗ୍ରାହକଙ୍କୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ଦିଲ୍ଲୀ ବ୍ୟାଙ୍କର୍ସ କମିଟିର ସଂଯୋଜକ ତଥା ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ଏମଡି ମୁକେଶ କୁମାର ଜୈନ କହିଛନ୍ତି ପ୍ରାୟତଃ ମଧ୍ୟରାତ୍ରୀରୁ ସକାଳ ପର୍ଯ୍ୟନ୍ତ ଅଧିକ ଏଟିଏମ୍ ଫ୍ରଡ୍ ହୋଇଥାଏ। ଏଭଳି ସମସ୍ୟା ମୁକାବିଲା ପାଇଁ ବିଭିନ୍ନ ଦିଗ ଉପରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତାବ ଦିଆଯାଇଛି ଏଟିଏମ୍ ରୁ ବାରମ୍ବାର ଟଙ୍କା ଉଠାଣ ବ୍ୟବସ୍ଥାର ପରିବର୍ତ୍ତନ କରାଯାଉ। ଥରେ ଉଠାଇବାର ୬ରୁ ୧୨ ଘଣ୍ଟା ଭିତରେ ଆଉ ଟଙ୍କା ଉଠାଣର ସୁଯୋଗ ନରହୁ। ଏହାଛଡା ଏଟିଏମରୁ ଟଙ୍କା ଉଠାଇବା ସମୟରେ ଆକାଉଣ୍ଟ ହୋଲ୍ଡରଙ୍କ ନିକଟକୁ ଯାଉ ଓଟିପି। ଏଟିଏମ ପାଇଁ ସେଣ୍ଟ୍ରାଲାଇଜ୍ ମନିଟରିଙ୍ଗ ସିଷ୍ଟମ କରାଯିବା କଥା ମଧ୍ୟ କୁହାଯାଇଛି। ଏହି ବ୍ୟବସ୍ଥା ଓବିସି, ଏସବିଆଇ, ପିଏନବି ଓ ଆଇଡିବିଆଇ ବ୍ୟାଙ୍କରେ ଲାଗୁ ହୋଇ ସାରିଛି। ବୈଠକରେ ଯୋଗଦେଇଥିବା ୧୮ଟି ବ୍ୟାଙ୍କର ପ୍ରତିନିଧିମାନେ ଏସବୁ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି।

ମତାମତ ଦିଅନ୍ତୁ ।