ଏଣିକି ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ଓ ଆରସି, ଅକ୍ଟୋବର ପହିଲାରୁ ଇ-ଚାଲାଣ

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟ୍ରାଫିକ ଆଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି। ଗାଡ଼ି ଚାଳକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (ଆରସି)ର ସ୍ମାର୍ଟକାର୍ଡ ଦିଆଯିବ। ଏଥିରେ ପ୍ରତ୍ୟେକ ଗାଡ଼ିଚାଳକଙ୍କ ସମ୍ପର୍କିତ ୧୦ବର୍ଷର ସମସ୍ତ ବିବରଣୀ ରହିବ।

ଏହି ସ୍ମାର୍ଟକାର୍ଡକୁ ଚେକିଂ ସମୟରେ ଡିଭାଇସ୍ ସହାୟତାରେ ପୋଲିସ୍ ଓ ଆରଟିଓ କର୍ତ୍ତୃପକ୍ଷ ଯେକୌଣସି ସ୍ଥାନରେ ଯାଞ୍ଚ କରିପାରିବେ। ବ୍ୟାଙ୍କରୁ ମିଳୁଥିବା ଡେବିଟ୍ ଓ କ୍ରେଡିଟ୍ କାର୍ଡ ଭଳି ଏହି ସ୍ମାର୍ଟକାର୍ଡ ହେବ। ଏ ସମ୍ପର୍କରେ ନିଷ୍ପତ୍ତି  ନେବାପାଇଁ ରାଜ୍ୟ ସରକାର ୫ଜଣିଆ କମିଟି ଗଠନ କରିଥିବା ବେଳେ ସ୍ମାର୍ଟକାର୍ଡ ପ୍ରସ୍ତୁତ ଦାୟିତ୍ୱ ମେସର୍ସ ସ୍ମାର୍ଟର୍ଚିପ୍ ପ୍ରାଃ ଲିମିଟେଡକୁ ଦିଆଯାଇଥିବା ଜଣାପଡ଼ିଛି। ଆହୁରି ନିଷ୍ପତ୍ତି ହୋଇଛି ଟ୍ରାଫିକ ଉଲ୍ଲଘଂନକାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ଇ-ଚାଲାଣକୁ ବାଧ୍ୟତାମୂଳକ କରାଯିବ। ଚଳିତମାସ ୩୦ ତାରିଖ ପରେ ପୋଲିସ କିମ୍ବା ଆରଟିଓ କର୍ତ୍ତୃପକ୍ଷ ରସିଦ୍ କାଟି ଚାଲାଣ ନେଇପାରିବେ ନାହିଁ।
କେନ୍ଦ୍ର ସରକାରଙ୍କ ମୋଟରଯାନ ସଂଶୋଧନ ଆଇନ ଅନୁସାରେ ରାଜ୍ୟ ସରକାର ସ୍ମାର୍ଟଚିପ୍ ସମ୍ବଳିତ ଡିଏଲ୍ ଓ ଆରସି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଚିପ୍ ସମ୍ବଳିତ ଡିଏଲରେ ଜଣେ ଗାଡ଼ିଚାଳକ ସମ୍ପର୍କିତ ମୋଟ ୨୬ଟି ତଥ୍ୟ ରହିବ। କାର୍ଡର ସମ୍ମୁଖ ଭାଗରେ ୧୭ଟି ଓ ପଛଭାଗରେ ରହିବ ୯ଟି ତଥ୍ୟ।

ସେହିପରି ରାଜ୍ୟର ଯେକୌଣସି ସ୍ଥାନରେ ଜଣେ ଆବେଦନକାରୀ ଡ୍ରାଇଭିଂ ଟେଷ୍ଟ୍ ଦେଇପାରିବେ। ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ଗୋଟିଏ ଲେଖାଏ ସ୍ୱୟଂକ୍ରିୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ସ୍ଥାପନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏହାଛଡା ଗାଡ଼ିର ମାଲିକାନସତ୍ତ୍ୱ ପରିବର୍ତ୍ତନ ପାଇଁ ଆରଟିଓ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି। ଆଧାର କାର୍ଡ ମାଧ୍ୟମରେ ଉଭୟ ଗାଡ଼ି ବିକ୍ରେତା ଓ କ୍ରେତା ଅନଲାଇନରେ ନିଜର ଗାଡ଼ିର ମାଲିକାନା ହସ୍ତାନ୍ତର କରିପାରିବେ।

ମତାମତ ଦିଅନ୍ତୁ ।