ଏମ୍ସ ଡାକ୍ତରଙ୍କୁ ଚେତାବନୀ, କାମକୁ ନଫେରିଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ନ୍ୟାସନାଲ ମେଡିକାଲ କମିଶନ(ଏନଏମସି)ବିଲକୁ ନେଇ ହଡ଼ତାଳ କରୁଥିବା ଏମ୍ସର ରେଜିଡେଣ୍ଟ ଡାକ୍ତରଙ୍କ ଉପରେ ଏବେ ଏମ୍ସ ରେଜିଷ୍ଟାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏମ୍ସ ଦିଲ୍ଲୀର ରେଜିଷ୍ଟାର ବୟାନ ଜାରି କରି କହିଛନ୍ତି ଯେ ଡାକ୍ତର କାମକୁ ଫେରି ଯାଆନ୍ତୁ ନଚେତ୍ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବୟାନରେ କୁହାଯାଇଛି ଯେ, ରେଜିଡେଣ୍ଟ ଡାକ୍ତର ଆସୋସିଏସନ(ଆରଡିଏ) ଓ ଷ୍ଟୁଡେଣ୍ଟ ୟୁନିୟନ କାମରେ ବାଧା ଦେଉଛନ୍ତି। ଏହା ଦିଲ୍ଲୀ ହାଇକୋର୍ଟ ଦ୍ଵାରା ଜାରି ନିର୍ଦ୍ଦେଶର ଉଲ୍ଲଂଘନ କରୁଛି। ରେଜିଷ୍ଟାର ଏହି ସମ୍ବନ୍ଧରେ ଜବାବ ମଧ୍ୟ ମାଗିଛନ୍ତି। କୁହାଯାଇଛି ଯେ, ରେଜିଡେଣ୍ଟ ଡାକ୍ତର ଆସୋସିଏସନ(ଆରଡିଏ) ଓ ଷ୍ଟୁଡେଣ୍ଟ ୟୁନିୟନଙ୍କୁ ଶୀଘ୍ର ଏହା ଉପରେ ଉତ୍ତର ଦେବାକୁ ପଡ଼ିବ ଏବଂ କାମକୁ ଫେରିବାକୁ ପଡ଼ିବ, ନଚେତ୍ ସେମାନଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରଜିଷ୍ଟାର ଏହା ମଧ୍ୟ କହିଛନ୍ତି ଯେ, ଯଦି ତତ୍କାଳ କାମକୁ ନଫେରନ୍ତି ତେବେ ସେମାନଙ୍କୁ ନିଲମ୍ବନ/ବହିଷ୍କାର/ହୋଷ୍ଟେଲରୁ ବାହାର କରାଯାଇପାରେ। ଉଲ୍ଲେଖନୀୟ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଶୁକ୍ରବାର ଏନଏମସି ବିଲର ବିରୋଧ କରୁଥିବା ଡାକ୍ତରଙ୍କୁ ଭେଟିଥିଲେ। ସେ ଡାକ୍ତରଙ୍କୁ କାମକୁ ଫେରି ଯିବାକୁ ଅପିଲ କରିଥିଲେ।

ମତାମତ ଦିଅନ୍ତୁ ।