ଭୁବନେଶ୍ୱର : କୋଭିଡ୍-୧୯ ସଙ୍କଟ ସମୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ବ୍ଲକରେ ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜେସ୍ ପକ୍ଷରୁ ୪୫୦ ମହିଳା ଓ ଶିଶୁ ସମେତ ଆଦିବାସୀ ସଂପ୍ରଦାୟର ୧୫୦ରୁ ଅଧିକ ଉପେକ୍ଷୀତ ବର୍ଗର ପରିବାରକୁ ରିଲିଫ୍ ଦିଆଯାଇଛି।
ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜେସ୍ର ଟିମ୍ ଏହି ପରିବାରଗୁଡ଼ିକୁ ଖାଦ୍ୟ ଓ ଆର୍ଥିକ ସହାୟତା ପାଇଁ ରହିଥିବା ବିଭିନ୍ନ ପ୍ରକାର ସରକାରୀ ସ୍କିମ୍ ବିଷୟରେ ଅବଗତ କରିବାରେ ସାହାଯ୍ୟ କରିଥିଲେ। ଯାହା ସେମାନେ ଜାଣିନଥିଲେ। ପରିବାର ଗୁଡ଼ିକ ମଧ୍ୟରେ ପରିମଳ କିଟ୍ ବଂଟନ ସହିତ କୋଭିଡ୍-୧୯କୁ ନେଇ ସଚେତନତା ସୃଷ୍ଟି କରାଯାଇଛି। ଏସ୍ଓଏସ୍ ଟିମ୍ର ସଦସ୍ୟମାନେ ଶିଶୁ ପରିତ୍ୟାଗ ରୋକିବାରେ ସଫଳ ହୋଇଥିବା ବେଳେ ଏହି ସଙ୍କଟ ସମୟରେ ପରିବାର ଗୁଡ଼ିକ ଯେଭଳି ଭାଙ୍ଗି ନପଡ଼ନ୍ତି ତାହା ନିଶ୍ଚିତ କରିବା ଲାଗି କାର୍ଯ୍ୟ କରିଥିଲେ।
ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜେସ୍ ଟିମ୍ ପକ୍ଷରୁ ସମସ୍ତ ୧୫୦ ପରିବାରଙ୍କ ପାଖରେ ପହଂଚି ସେମାନଙ୍କୁ ୧୦ ପ୍ରକାର ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଦିଆଯାଇଥିଲା ଯାହା ଅତିକମ୍ରେ ସେମାନଙ୍କ ୧୫ ଦିନର ଖାଦ୍ୟ ଆବଶ୍ୟକତା ପୂରଣ କରିଥିଲା। ପ୍ରତି ପରିବାରକୁ ୨ କେଜି ଡାଲି, ୨ ଲିଟର ସୋରିଷ ତେଲ, ୧ କେଜି ଚିନି, ୧ କେଜି ଲୁଣ, ୧ କେଜି ଚୂଡ଼ା, ୧ କେଜି ସୁଜି, ୧ ପ୍ୟାକେଟ ସୋୟାବିନ ବଡ଼ି, ୨ ପ୍ୟାକେଟ୍ ବିସ୍କୁଟ, ୪ କେଜି ଆଳୁ ଓ ୨ କିଲୋ ପିଆଜ ଦିଆଯାଇଥିଲା । ଏହା ବ୍ୟତୀତ ସେମାନଙ୍କୁ ସମସ୍ତ ସରକାରୀ ସ୍କିମ୍ର ଲାଭ ପାଇବାରେ ସାହାଯ୍ୟ କରାଯାଇଥିଲା ଯେଉଁଥିରେ ସେମାନେ ବ୍ୟକ୍ତି ପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ୧୦୦୦ ଟଙ୍କାର ନଗଦ ରାଶି; ଜନ ଧନ ଖାତାଧାରୀଙ୍କୁ ମାସକୁ ୫୦୦ ଟଙ୍କା ଏବଂ ପ୍ରତି ଏମ୍ଏନ୍ଇଆରଜିଏ କାର୍ଡଧାରୀ ୧୫୦୦ ଟଙ୍କା ପାଇଥିଲେ।
ସେହିପରି ପ୍ରଭାବିତ ଗୋଷ୍ଠୀର ଚାରଟିି ମହିଳା ଟେଲରଙ୍କୁ ଫେସ୍ ମାସ୍କ ତିଆରି କରିବା ଲାଗି କୁହାଯାଇଥିଲା। ସେମାନେ ପ୍ରତିଦିନ ୨୫-୩୦ ଫେସ୍ ମାସ୍କ ସିଲାଇ କରୁଥିଲେ। ସେଗୁଡ଼ିକୁ ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜେସ୍ ତରଫରୁ କିଣାଯାଉଥିଲା। ପରିମଳ କିଟ୍ର ଅଂଶ ଭାବେ ସମସ୍ତ ଗୋଷ୍ଟୀ ସଦସ୍ୟଙ୍କ ମଧ୍ୟରେ ବଂଟନ କରାଯାଉଥିଲା । ଏହି କିଟ୍ରେ ରଖାଯାଉଥିବା ଅନ୍ୟାନ୍ୟ ପଦାର୍ଥ ଯଥା ସାବୁନ, ହାଣ୍ଡୱାସ୍। ଏହାକୁ ପରିବାର ଗୁଡ଼ିକ ଖୋଲିଥିବା ଛୋଟ ଦୋକାନ ଗୁଡ଼ିକରୁ କିଣାଯାଇଥିଲା । ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜେସ୍ର ଏହି କିଣିବା-ଓ-ବାଂଟିବା ମଡେଲ୍ କେବଳ ଏହି ପରିବାରଗୁଡ଼ିକ ପାଇଁ ଅତିରିକ୍ତ ଆୟ ସୃଷ୍ଟି କରିନଥିଲା, ବରଂ କୋଭିଡ୍-୧୯ ସମୟରେ ସେମାନଙ୍କ ଖାଦ୍ୟ ଓ ପରିମଳର ଧ୍ୟାନ ରଖିଥିଲା। ସେମାନଙ୍କ ଘର ପାଶ୍ୱର୍ରେ ଥିବା ଫାଙ୍କା ସ୍ଥାନରେ ପନିପରିବା ଚାଷ କରିବା ଲାଗି ଏସ୍ଓଏସ୍ ଟିମ୍ ପକ୍ଷରୁ ପରିବାରଗୁଡ଼ିକର ମାର୍ଗଦର୍ଶନ କରାଯାଇଥିଲା । ନିଜସ୍ୱ ବ୍ୟବହାର ଓ ବିକ୍ରି ପାଇଁ ୨୦ ପ୍ରତିଶତରୁ ଅଧିକ ପରିବାର ଶାଗ ଓ ଅନ୍ୟାନ୍ୟ ପନିପରିବାକୁ କିଚେନ୍ ଗାର୍ଡେନ୍ରେ ଚାଷ କରିଥିଲେ।