ଓଡ଼ିଶାରେ ଗଡ଼ିଲା ସୁପର ଆନାକୋଣ୍ଡା

ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିଲା ସୁପର ଆନାକୋଣ୍ଡା। ଭାରତୀୟ ରେଲୱେ ପକ୍ଷରୁ ପ୍ରଥମ ଥର ଲାଗି ଟ୍ରାକ୍‌ରେ ଗଡ଼ିଛି ଦେଶର ଦୀର୍ଘତମ ମାଲବାହୀ ଟ୍ରେନ। ଏହି ମାଲଗାଡ଼ିର ନାଁ ରଖାଯାଇଛି ସୁପର ଆନାକୋଣ୍ଡା। ଟ୍ରେନ୍‌ଟିର ଦୈର୍ଘ୍ୟ ୨ କିଲୋମିଟର ଏବଂ ଏଥିରେ ୧୭୭ଟି ଓ୍ୱାଗନ ଖଞ୍ଜା ଯାଇଛି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥର ୩ଟି ମାଲଗାଡ଼ିକୁ ଯୋଡ଼ି ଏହି ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଲଗାଡ଼ିକୁ ଟ୍ରାକରେ ଚଳାଇଛି ରେଳବାଇ।

ଏହି ମାଲଗାଡ଼ିରେ ୧୫ ହଜାର ଟନ୍ ମାଲ୍ ପରିବହନ ହୋଇଥିଲା। ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ମାଲଗାଡ଼ିଟି ଟ୍ରାକ୍‌ରେ ଦଉଡ଼ିଥିଲା। ବ୍ରଜରାଜନଗର ନିକଟ ଲାଜକୁରାରୁ ଟ୍ରେନଟି ବାହାରି ୨ ଘଣ୍ଟା ୧୫ ମିନିଟର ରେକର୍ଡ ସମୟ ମଧ୍ୟରେ ରାଉରକେଲାରେ ପହଞ୍ଚିଥିଲା। ଏହି ମାଲଗାଡ଼ି ପାଇଁ ୬ ହଜାର ହର୍ସପାଓ୍ୱାର ବିଶିଷ୍ଟ ୩ଟି ଇଲେକ୍ଟ୍ରିକ୍ ଇଞ୍ଜିନ ଖଞ୍ଜା ଯାଇଥିଲା।

ଏହାକୁ ମୁଖ୍ୟ ଲୋକୋ ପାଇଲଟ ପରିଚାଳନା କରିଥିଲେ। ଏହି ଟିମରେ ୬ଜଣ ଲୋକୋ ପାଇଲଟ ଏବଂ ଜଣେ ସହାୟକ ଲୋକୋ ପାଇଲଟ ରହିଥିଲେ। ତେବେ ଏହି ଦୀର୍ଘତମ ମାଲଗାଡ଼ିକୁ ଟ୍ରାକରେ ଗଡ଼ାଇ ଭାରତୀୟ ରେଲୱେ ନୂଆ ରେକର୍ଡ ସ୍ଥାପନ କରିଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏକ ଭିଡିଓ ଶେୟାର କରି ଏହାକୁ ସୁପର ଆନାକୋଣ୍ଡା ବୋଲି ନାମ ଦେଇଛନ୍ତି।

ମତାମତ ଦିଅନ୍ତୁ ।