କଂଗ୍ରେସରେ ବିବାଦ : ନିରଞ୍ଜନଙ୍କ ନିଦ ହଜାଇବେ ଇତିଶ

ଭୁବନେଶ୍ଵର : ନୂଆଦିଲ୍ଲୀରେ ଏଆଇସିସି ବୈଠକ ବସିଥିବା ବେଳେ ରାଜ୍ୟ କଂଗ୍ରେସରେ ବିଦ୍ରୋହର ସ୍ୱର ଉଠିଛି। ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ। ସେ କହିଛନ୍ତି ନିରଞ୍ଜନ ନିଜର ବ୍ୟବସାୟ ବଢ଼ାଇବା ଓ ପୁଅର ସ୍ଵାର୍ଥ ରକ୍ଷା ପାଇଁ ଚକ୍ରାନ୍ତ କରିଥିଲେ। ଏଥିପାଇଁ ତାଙ୍କ ନିଦ ହଜାଇ ଦିଆଯିବ। ତାଙ୍କ ବିରୁଦ୍ଧରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ କରାଯିବ ଅଭିଯୋଗ।

ଇତିଶ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ସୌମ୍ୟରଞ୍ଜନ କଂଗ୍ରେସ ଦଳକୁ ହରାଇଛନ୍ତି। ଭାଇ ମଧ୍ୟସ୍ଥି କରି ଦଳକୁ ବିକ୍ରି କରିଦେଇଥିବା ବେଳେ ନିରଞ୍ଜନ ନିଜର ବ୍ୟବସାୟକୁ ବୃଦ୍ଧି ଓ ପୁଅ ମଣିଷ କରିବାକୁ ଚକ୍ରାନ୍ତ କରିଥିଲେ। ଏହାକୁ କଦାପି ସହ୍ୟ କରାଯିବନି। ନିରଞ୍ଜନଙ୍କ ଏହି ଚକ୍ରାନ୍ତ ବିଷୟରେ ଏଆଇସିସିକୁ ଅବଗତ କରାଯିବ। ପଦରୁ ହଟାଇବା ଦାବିକୁ କରାଯିବ ଜୋରଦାର। ଇତିଶ କହିଲେ ନିରଞ୍ଜନ ଏବେ ଓଡ଼ିଶାରେ ନାହାଁନ୍ତି। ଫେରିଲା ପରେ ତାଙ୍କୁ ଓଡ଼ିଶା ଭିତରେ ପୁରାଇ ଦିଆଯିବ ନାହିଁ। ତାଙ୍କ ବିରୋଧରେ ଆନ୍ଦୋଳନ କରାଯିବ। କୌଣସି କାମ କରାଇ ଦିଆଯିବ ନାହିଁ ବୋଲି ଇତିଶ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଶନିବାର କଂଗ୍ରେସ ନେତା ଅମର ପ୍ରଧାନ କହିଥିଲେ କଂଗ୍ରେସ ଦଳ ଭିତରେ ଭିଲେନ ଅଛନ୍ତି। ଦଳରେ ଭିଲେନ୍ ରହି ସରକାରୀ ଦଳସହ ହାତ ମିଳାଇ କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି। ଖୁବ ଶୀଘ୍ର ସେ ଏହାର ଖୁଲାସା କରିବେ। ସମସ୍ତ ବିଷୟ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କହିବେ। ଅମରଙ୍କ କଥାକୁ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷ ସମର୍ଥନ ଜଣାଇଥିଲେ ଏଆଇସିସି ସମ୍ପାଦକ ଶରତ ରାଉତ। ଏବେ ସ୍ପଷ୍ଟ ହେଉଛି ରାଜ୍ୟରେ କଂଗ୍ରେସର ଅବସ୍ଥା ଠିକ ନାହିଁ। ଏଭଳି ବିବାଦୀୟ ସ୍ଥିତିରେ ପିସିସି ସଭାପତି ନୂଆ ସଦସ୍ୟ ଗ୍ରହଣ କରି ଦଳକୁ କିପରି ଆଗକୁ ବଢାଇବେ ତାହା ଆଗକୁ ଜଣାପଡିବ।

ମତାମତ ଦିଅନ୍ତୁ ।