କାଶ୍ମୀର ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତି ଅଛି ବୋଲି ଆଜି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମଙ୍ଗଳବାର ଲୋକସଭାରେ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସଂକଳ୍ପ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଲ୍‌ ଉପସ୍ଥାପନ ବେଳେ ବିରୋଧୀ ଦଳ କଂଗ୍ରେସ ପୁଣି ହଙ୍ଗାମା କରିଛନ୍ତି ।

ଲୋକସଭାରେ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସଂକଳ୍ପ ଉପରେ ଆଲୋଚନା ଜାରି ରହିଛି । ରାଜ୍ୟସଭା ଭଳି ଲୋକସଭାରେ ମଧ୍ୟ କଂଗ୍ରେସ ସରକାରଙ୍କ ପ୍ରସ୍ତାବକୁ ବିରୋଧି କରିଛି । କିନ୍ତୁ ଗତକାଲି ଭଳି ଆଚରଣ ଦେଖିବାକୁ ମିଳି ନାହିଁ । ମାତ୍ର ଅମିତ ଶାହା ଓ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ସଦସ୍ୟ ଚୌଧୁରୀ ସମ୍ବିଧାନ ନିୟମ ଉଲ୍ଲଂଘନ କରିବା ଭଳି ସଙ୍ଗୀନ ଅଭିଯୋଗ ମୋଦୀ ସରକାର ଉପରେ ଲଗାଇଛନ୍ତି । ସରକାର ନିଜର ପ୍ରସ୍ତାବରେ ପିଓକେ କଥା ଭୁଲି ଗଲେ ବୋଲି ସେ କହିଛନ୍ତି । ସମ୍ପୂର୍ଣ୍ଣ ରାଜ୍ୟକୁ ସରକାର ଜେଲଖାନା କରିଦେଇଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରାଯାଇଛି । ଏହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ । ସେ କହିଛନ୍ତି, ‘‘ଯେତେବେଳେ ଜାମ୍ମୁ ଓ କାଶ୍ମୀର କହୁଛି ସେତେବେଳେ ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଅକସାଇ ଚିନ୍‌ ମଧ୍ୟ ଆସୁଛି । କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତି ଅଛି ।’’ ମୁଁ କେଉଁ ନିୟମ ଉଲ୍ଲଂଘନ କରିଛି ବୋଲି ଶାହା ପ୍ରଶ୍ନ କରିଛନ୍ତି ।

ମତାମତ ଦିଅନ୍ତୁ ।