କିଏ ସେ ନାରୀ ଯିଏ ‘ମା’ ହୋଇ ମଧ୍ୟ ଥିଲେ ଅକ୍ଷତ କୁମାରୀ ?

ମହାଭାରତରେ ଅନେକ ରୋମାଞ୍ଚକ କଥା ରହିଛି ଯାହା ସାଧାରଣତଃ ଆମେ ଜାଣିନଥାଉ । କିଛି କଥା ବିଜ୍ଞାନକୁ ମଧ୍ୟ ଚକିତ କରିଦେଇଥାଏ । ମହାଭାରତରେ ଏମିତି ୩ ଜଣ ସ୍ତ୍ରୀ ଥିଲେ ଯେଉଁମାନେ ମା ହେବାପରେ ମଧ୍ୟ କୁମାରୀ ଥିଲେ ଏବଂ ସର୍ବଦା ଅକ୍ଷତ କୁମାରୀ ଭାବେ ଜଣାଶୁଣା ।


ମହାଭାରତର ମୁଖ୍ୟ ନାୟିକା ଦ୍ରୌପଦୀ । ଦ୍ରୌପଦୀ ଜଣେ ସାଧାରଣ କନ୍ୟା ଭାବେ ଜନ୍ମ ହୋଇନଥିଲେ । ସେ ନିଜ ମାଙ୍କ ଗର୍ଭରୁ ଜନ୍ମ ହୋଇନଥିଲେ ବରଂ ହୋମ କୁଣ୍ଡରୁ ନିଜ ଭାଇ ଧୃଷ୍ଟଦ୍ୟୁମ୍ନଙ୍କ ସହ ଉତ୍ପନ୍ନ ହୋଇଥିଲେ । ସ୍ଵୟମ୍ବରରେ ଦ୍ରୌପଦୀଙ୍କୁ ବାବାହ କରିଥିଲେ ଅର୍ଜୁନ । ମାତା କୁନ୍ତୀଙ୍କ ଆଦେଶରେ ସେ ପାଞ୍ଚ ଭାଇ ଅର୍ଥାତ ପଞ୍ଚୁପାଣ୍ଡବଙ୍କ ସ୍ତ୍ରୀ ହେଲେ । ନିୟମ ଅନୁସାରେ ଦ୍ରୌପଦୀ ସମସ୍ତ ପାଣ୍ଡବ ଭାଇଙ୍କ ସହ ବର୍ଷେ ଲେଖାଏଁ ରହୁଥିଲେ । କିନ୍ତୁ ସେ ଯେତେବେଳେ ଜଣେ ଭାଇଙ୍କ ଠାରୁ ଆଉ ଜଣେ ଭାଇଙ୍କ ପାଖକୁ ଯାଉଥିଲେ ସେ କୁମାରୀ ହିଁ ରହୁଥିଲେ । ସେଥିପାଇଁ ତାଙ୍କୁ ଅକ୍ଷତ କୁମାରୀ ବୋଲି କୁହାଯାଉଥିଲା ।


ଦ୍ରୌପଦୀଙ୍କ ପରେ ମହାଭାରତର ଆଉ ଜଣେ ମୁଖ୍ୟ ନାୟିକା ହେଲେ କୁନ୍ତୀ । ସେ ପାଣ୍ଡବଙ୍କ ଛଡ଼ା ବିବାହ ପୂର୍ବରୁ ଆଉ ଜଣେ ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ବିବାହ ପୂର୍ବରୁ କୁନ୍ତୀ କର୍ଣ୍ଣଙ୍କୁ ଜନ୍ମ ଦେଇଥିଲେ । ଥରେ ମହର୍ଷି ଦୁର୍ବାଶା କୌନ୍ତଙ୍କ ନିକଟକୁ ଭୋଜନ ପାଇଁ ଯାଇଥିଲେ । ୪ ମାସ ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ସେ ସେଠାରେ ହିଁ ରହିଗଲେ । ମହର୍ଷିଙ୍କ ସେବା କାର୍ଯ୍ୟ କୌନ୍ତଙ୍କ କନ୍ୟା କୁନ୍ତୀ ଦେଖୁଥିଲେ । କୁନ୍ତୀଙ୍କ ଅନନ୍ୟ ନିଷ୍ଠା ଏବଂ ସେବାରେ ପ୍ରସନ୍ନ ହୋଇ ଯିବାବେଳେ କୁନ୍ତୀହ୍କୁ ଦୁର୍ବାଶା ଦେବତାଙ୍କ ଆବାହନ ମନ୍ତ୍ର ଦେଇଯାଇଥିଲେ ।


ସେ କହିଥିଲେ ଯେ, ସନ୍ତାନ କାମନା କରି ସେ ଯେଉଁ ଦେବତାଙ୍କୁ ଆବାହନ କରିବେ ସେ ତାଙ୍କ ଦିବ୍ୟ ଶକ୍ତି ଦ୍ୱାରା ତାଙ୍କ ସମକ୍ଷରେ ଉପସ୍ଥାପିତ ହେବେ । ଏହାଦ୍ୱାରା କୁନ୍ତୀଙ୍କ କୁମାରୀତ୍ବ ମଧ୍ୟ ନଷ୍ଟ ହେବନାହିଁ ବୋଲି ମହର୍ଷି କହିଥିଲେ । ଦୁର୍ବାଶା ଯିବାପରେ କୁନ୍ତୀ କୌତୁହଳବଶତ ସୂର୍ଯ୍ୟଙ୍କୁ ଆବାହନ କରିଥିଲେ । ଫଳସ୍ୱରୂପ ଭଗବାନ ସୂର୍ଯ୍ୟଙ୍କ ଦ୍ୱାରା କର୍ଣ୍ଣଙ୍କ ଉତ୍ପତ୍ତି ହୋଇଥିଲା । ଏଥିରୁ କୁନ୍ତୀ ଭୟଭୀତ ହୋଇପଡିଥିଲେ । କୁନ୍ତୀଙ୍କ ଭୟକୁ ଦୂର କରିବା ପାଇଁ ସୂର୍ଯ୍ୟ ତାଙ୍କୁ ଅକ୍ଷତ କୁମାରୀ ରହିବା ବର ଦେଇଥିଲେ । ମା ହୋଇ ମଧ୍ୟ କୁନ୍ତୀ କୁମାରୀ ରହିଥିଲେ ।


ମହାଭାରତର ଆଉ ଜଣେ ମୁଖ୍ୟ ନାୟିକା ହେଲେ ସତ୍ୟବତୀ । ପରାଶର ଋଷି ବହୁତ ବିଦ୍ୱାନ ଏବଂ ଯୋଗ ସିଦ୍ଧି ସମ୍ପନ୍ନ ପ୍ରସିଦ୍ଧ ଋଷି ଥିଲେ । ଦିନେ ସେ ଯମୁନା ନଦୀ ପାରି କରିବା ପାଇଁ ଡଙ୍ଗାରେ ବସିଲେ । ଡଙ୍ଗା ଜଣେ ଧୀବରଙ୍କ ପୁତ୍ରୀ ସତ୍ୟବତୀ ଚଲାଉଥିଲେ । ସତ୍ୟବତୀଙ୍କ ରୂପ ଯୌବନ ଦେଖି ପରାଶର ଋଷି ବିଚଳିତ ହୋଇପଡିଲେ । ଋଷି ବ୍ୟାକୁଳ ହୋଇ ସତ୍ୟବତୀଙ୍କୁ ପ୍ରେମ କରିବା ପାଇଁ ଇଛା ପ୍ରକାଶ କଲେ । ସେ ସତ୍ୟବତୀଙ୍କୁ କହିଥିଲେ ଯେ, ସେ ତାଙ୍କୁ ଏକ ପୁତ୍ର ପ୍ରଦାନ କରିବାକୁ ଚାହୁଁଛନ୍ତି ।


ଋଷିଙ୍କ କଥା ଶୁଣି ସତ୍ୟବତୀ ଡରିଗଲେ ଏବଂ କହିଲେ ସେ କୁମାରୀ କନ୍ୟା, ସେ କିଭଳି ମା ହେବେ । ଋଷି କହିଲେ ମା ହେଲେ ମଧ୍ୟ ତାଙ୍କର କୁମାରୀତ୍ବ ନଷ୍ଟ ହେବ ନାହିଁ । ସେ ସର୍ବଦା ଅକ୍ଷତ କୁମାରୀ ରହିବେ । ଋଷିଙ୍କ ବର ଯୋଗୁଁ ସତ୍ୟବତୀଙ୍କ ଏକ ପୁତ୍ର ହେଲା । ସତ୍ୟବତୀ ନିଜ ପୁତ୍ରର ନାଁ କୃଷ୍ଣଦ୍ବୈପାୟନ ରଖିଲେ । ସତ୍ୟବତୀଙ୍କ ଏହି ପୁତ୍ର ପରେ ମହର୍ଷି ବେଦ ବ୍ୟାସ ଭାବେ ପ୍ରସିଦ୍ଧ ହେଲେ ।

ମତାମତ ଦିଅନ୍ତୁ ।