କୁଳଭୂଷଣଙ୍କୁ ଫାଶୀ ହେବନି, ପୁନର୍ବିଚାର ପାଇଁ ଆଇସିଜେର ପାକିସ୍ତାନକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଆଜି ଭାରତ ସପକ୍ଷରେ ରାୟ ଦେଇଛନ୍ତି । ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଆଜି ଏଥିରେ ରୋକ୍‌ ଲଗାଇଛନ୍ତି।

ବୁଧବାର ଆଇସିଜେର ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଭୋଟ୍‌ ଦେଇଥିଲେ। ଏହାବ୍ୟତୀତ ବର୍ତ୍ତମାନ ଭାରତ କୁଳଭୂଷଣଙ୍କ ପାଇଁ ଆଇନଗତ ଲଢ଼େଇ ମଧ୍ୟ ଲଢ଼ିପାରିବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା । ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି । ସେ ଇରାନ୍‌ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି । ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଥିଲା। ଏହାକୁ ନେଇ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ଭାରତ ନ୍ୟାୟ ପାଇଁ ପାକିସ୍ତାନ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।

ମତାମତ ଦିଅନ୍ତୁ ।