କୂଅରେ ପଡ଼ି ପୁଲିସ କର୍ମଚାରୀ ମୃତ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତ ହରିପଡ଼ା ଗାଁରେ ରବିବାର ସକାଳେ କୂଅରେ ପଡ଼ି ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ହରିପଡ଼ା ଗାଁର ଇନ୍ଦ୍ରିଆସ ଭୂୟାଁଙ୍କ ପୁଅ ନୁଆସ ଭୂୟାଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଥାନାରେ କାର୍ଯ୍ୟରତ ଥିଲେ।

କିଛିଦିନ ତଳେ ସେ ଛୁଟିରେ ଗାଁକୁ ଆସିଥିଲେ। ଆଜି ସକାଳ ପ୍ରାୟ ୯ଟା ବେଳେ ସେ ନିଜ ବାଡ଼ି ପଟେ ଥିବା କୂଅରୁ ପାଣି କାଢ଼ିବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ କୂଅ ଭିତରେ ପଡ଼ି ଯାଇଥିଲେ। ପରିବାର ଓ ସାଇପଡ଼ିଶା ଲୋକେ ତାଙ୍କୁ କୂଅରୁ କାଢିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ସୂଚାନ ଦେଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ହେଁ ୩୦ ଫୁଟ ପର୍ଯ୍ୟନ୍ତ ପାଣି ଭର୍ତ୍ତି ଥିବାରୁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥଲା। ବହୁ ଖୋଜାଖୋଜି କରିବା ପରେ ପ୍ରାୟ ଦିନ ୧୨ଟା ବେଳକୁ ନୁଆସଙ୍କୁ କୂଅରୁ ବାହାର କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ଗୋବିନ୍ଦପୁର ଥାନା ପୁଲିସ୍‌ ଶବ ଜବତ କରିବା ସହ ନୁଆସଙ୍କ ପୁତୁରା ହାଲାନ ଭୂୟାଁଙ୍କ ଏତଲାକ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ମତାମତ ଦିଅନ୍ତୁ ।