କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍‌, ଭେଲୁ ଓ ମିତୁନା ଆହତ

ଭୁବନେଶ୍ଵର : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳାଇ ରାସ୍ତା କଳାପୋଲ ନିକଟରେ ପୋଲିସ ଏନକାଉଣ୍ଟର୍‌ରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁ ଓ ପ୍ରଭାତ କୁମାର ନାୟକ ଓରଫ ମିତୁନା। ସେମାନଙ୍କ ନିକଟରୁ ବନ୍ଧୁକ, ବାଇକ୍‌ ଓ ମୋବାଇଲ୍‌ ଜବତ କରାଯାଇଛି। ଭେଲୁର ଦୁଇଟି ଗୋଡ଼ରେ ଗୁଳି ବାଜିଥିବା ବେଳେ ମିତୁନାର ଗୋଟିଏ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଭେଲୁ ଓ ମିତୁନା ଅଙ୍ଗୁଳାଇ ରାସ୍ତାରେ ଯାଉଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭେଲୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସି ଯିବାକୁ ପ୍ରୟାସ କରିବାରୁ ପୋଲିସ ଏହାର ଜବାବ ଗୁଳିରେ ଦେଇଥିଲା। ଗୁଳି ବାଜିବାରୁ ଭେଲୁ ତଳେ ପଡ଼ି ଯାଇଥିଲା। ଏହି ସମୟରେ ମିତୁନା ଖସିବାକୁ ଉଦ୍ୟମ କରିବାରୁ ତା’ ଉପରେ ପୋଲିସ ଗୁଳି ଚଳାଇଥିଲା। ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଗତ ୧୮ ତାରିଖ ମେଡିସିନ୍ ବ୍ୟବସାୟୀଙ୍କ ହତ୍ୟାକାଣ୍ଡରେ ଏ ଦୁହେଁ ସମ୍ପୃକ୍ତ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।