କୋଭିଡ୍‌ ପରୀକ୍ଷା ବଢ଼ାଇବା ପାଇଁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଟେଷ୍ଟ-ଟ୍ରାକ୍-ଟ୍ରିଟ୍‌ ଜରୁରୀ ଥିବାରୁ ରାଜ୍ୟ ସରକାର କୋଭିଡ୍‌ ପରୀକ୍ଷା ବଢ଼ାନ୍ତୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ଓ ଆଇସିଏମ୍‌ଆରର ସଚିବ ପ୍ରଫେସର ବଳରାମ ଭାର୍ଗବ ଆଜି ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। କୋଭିଡ୍‌ ପରୀକ୍ଷା ବଢ଼ାଇବା ସହିତ ଅନୁମୋଦିତ ପରୀକ୍ଷାଗାରଗୁଡ଼ିକୁ ସଂପୂର୍ଣ୍ଣ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍‌ଆର।  

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ୧୦୪୯ଟି କୋଭିଡ୍‌ ପରୀକ୍ଷାଗାରକୁ ଅନୁମତି ଦିଆଯାଇଛି। ତହିଁରେ ୭୬୧ଜଣ ସରକାରୀ ଓ ୨୮୮ଜଣ ଘରୋଇ ପରୀକ୍ଷାଗାର ରହିଛି। ତେବେ କେତେକ ଘରୋଇ ପରୀକ୍ଷାଗାର ଧାର୍ଯ୍ୟ କ୍ଷମତାଠାରୁ କମ୍ ପରୀକ୍ଷା କରୁଛନ୍ତି। ତେଣୁ କୋଭିଡ୍‌ ପରୀକ୍ଷା କିଭଳି ବଢ଼ିବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। କେତେକ ରାଜ୍ୟରେ କୋଭିଡ୍‌ ପରୀକ୍ଷା ପାଇଁ ସରକାରୀ ଡାକ୍ତରଙ୍କ ଦସ୍ତଖତ ଥିବା ପ୍ରେସକ୍ରିପସନ୍‌ ଆବଶ୍ୟକ ପଡ଼ୁଥିବା ନଜରକୁ ଆସିଛି। ଆଇସିଏମ୍‌ଆର ପକ୍ଷରୁ କେଉଁ ବ୍ୟକ୍ତିମାନଙ୍କ ପରୀକ୍ଷା କରାଯିବ ସେଥିପାଇଁ ନିର୍ଦେଶାବଳୀ ଜାରି କରାଯାଇଛି। ସରକାରୀ ପରୀକ୍ଷାଗାର ଗୁଡ଼ିକରେ ବହୁ ସଂଖ୍ୟାରେ ନମୁନା ପରୀକ୍ଷା ହେଉଥିବାରୁ ଘରୋଇ ପରୀକ୍ଷାଗାରମାନେ ସଂପୃକ୍ତ ବ୍ୟକ୍ତିମାନଙ୍କ କୋଭିଡ୍‌ ପରୀକ୍ଷା ପାଇଁ ଆଗେଇ ଆସିବା ଦରକାର। ଯାହାଫଳରେ ଭୂତାଣକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ।  

ଏହାସହ ସମସ୍ତ କୋଭିଡ୍‌ ପରୀକ୍ଷାଗାରଗୁଡ଼ିକ ଆଇସିଏମ୍‌ଆର ଡାଟାବେସ୍‌ରେ ପରୀକ୍ଷା ସହ କଣ୍ଟାକ୍ଟ ଟ୍ରେସିଂ ତଥ୍ୟ ଅପଲୋଡ୍‌ କରିବା ପାଇଁ କୁହାଯାଇଛି। ଆଇସିଏମ୍‌ଆର ପକ୍ଷରୁ ନିକଟରେ ରାପିଡ୍ ଆଣ୍ଟିଜେନ୍‌ ପରୀକ୍ଷାକୁ ଅନୁମତି ଦିଆଯାଇଛି। ସଂକ୍ରମଣ ଅବରୋଧ ଅଞ୍ଚଳ ଓ ହସ୍ପିଟାଲଗୁଡ଼ିକରେ ଏହି ପରୀକ୍ଷା ଆଇସିଏମ୍‌ଆର ଗାଇଡଲାଇନ୍ ଅନୁଯାୟୀ ହୋଇପାରିବ। ତେଣୁ ରାଜ୍ୟ ସରକାର କ୍ୟାମ୍ପ/ମୋବାଇଲ ଭ୍ୟାନ୍ ଜରିଆରେ ଯେଉଁ ଅଞ୍ଚଳରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେଠାରେ ସମସ୍ତ ଲକ୍ଷଣଧାରୀ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯିବା ଦରକାର ବୋଲି ଚିଠିରେ ଉଲ୍ଲେଖ ରହିଛି।

ମତାମତ ଦିଅନ୍ତୁ ।