ଗଣଆନ୍ଦୋଳନ ଆଜି ବିପଥଗାମୀ

॥ ମାୟାଧର ନାୟକ ॥ ଆମେ ଜାଣନ୍ତି, ଟ୍ରେଡ୍‌ୟୁନିୟନ ଓ ଗଣତାନ୍ତ୍ରୀକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ। ଶହେବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା। ବର୍ତମାନର ପୁଞ୍ଜିବାଦ କ୍ଷୟିଷ୍ଣୁ ଚରିତ୍ର ସଂପନ୍ନ ହେଲେ ମଧ୍ୟ ଅତି ପରିପକ୍ୱ, ପରିଣତ ଓ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଯାହାର ଉଗ୍ର ଗତିପଥକୁ ରୋକିବାପାଇଁ ଗଣଆନ୍ଦୋଳନର ନୂତନ କୌଶଳ, ନୂଆ ହତିଆର ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡିଛି। ସମୟ ଆସିଛି ଆମେ ସମସ୍ତେ ସକ୍ରିୟ ଭାବେ ଏହି ଧ୍ୱଂସ ମୁଖୀ ବ୍ୟବସ୍ଥାର ସାମନାକରି ସମାଜକୁ ମୁକ୍ତ ଏବଂ ସୁରକ୍ଷିତ କରି ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ଐକ୍ୟବଦ୍ଧ ଓ ସଂକଳ୍ପବଦ୍ଧ ଭାବେ ସଂଗ୍ରାମ ଆରମ୍ଭ କରିବା। ଏକ ନୂତନ ବିକଳ୍ପ, ଯାହାକି ସଂପୂର୍ଣ୍ଣ ନୂଆ ଦୃଷ୍ଟିକୋଣ ନେଇ ଏହି ଜନବିରୋଧୀ ଓ ଧ୍ୱଂସମୁଖୀ ଶକ୍ତି ସମୂହକୁ ପ୍ରତିରୋଧ କରିବା ପାଇଁ ଶକ୍ତିଶାଳୀ ଗଣଆନ୍ଦୋଳନ ଏକାନ୍ତ ଆବଶ୍ୟକ।

ଆଜି ସମଗ୍ର ଭାରତବର୍ଷରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକର ଆକାଶ ଛୁଆଁ ଦରବୃଦ୍ଧି ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟସରକାରମାନଙ୍କର ଜନବିରୋଧୀ ବଜେଟ୍‌ରେ ଯାତ୍ରୀଭଡା, ପରିବହନ ଶୁଳ୍କ ଓ ଟିକସ୍ ବୃଦ୍ଧିକୁ ସାଧାରଣ ଲୋକଙ୍କ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଛି। ଯାହା ଗରୀବ, ଖଟିଖିଆ, ଶ୍ରମଜିବୀ, ସହରୀ ଓ ଗାଉଁଲି ଜୀବନଧାରା ପ୍ରତି ଏକ ଶକ୍ତ ଧକ୍କା। ଅତ୍ୟନ୍ତ ଭୟଙ୍କର ଭାବେ ବେକାରୀ ସମସ୍ୟା ସାଙ୍ଗକୁ କ୍ରମାଗତ ଭାବେ କଳକାରଖାନା, ଖଣିଖାଦାନ ବନ୍ଦ ଏବଂ ଶ୍ରମିକ ଛଟେଇ, ନିଯୁକ୍ତି ସଂକୋଚନ, ସ୍ୱଳ୍ପ ଜମିଥିବା ଚାଷୀ ଧୀରେ ଧୀରେ ଜମି ହରେଇ ଦେଇ ଦାଣ୍ଡର ଭିକାରୀ ସାଜିବା, ଶିକ୍ଷା ଅତି ଶସ୍ତାରୁ ଶସ୍ତା ହୋଇଯିବା, ଶିକ୍ଷା ଓ ସଂସ୍କୃତିଜୀବନ ପ୍ରଣାଳୀକୁ ଉନ୍ନତ କରିବା ପରିବର୍ତେ ବ୍ୟବସାୟିକ ପଦ୍ଧତିରେ ସମାଜକୁ ଧ୍ୱଂସ ଆଡକୁ ଟାଣି ନେଇଯାଉଛି।

ଏସବୁ ସାଙ୍ଗକୁ ସମାଜରେ ଆଖିବୁଜା ଆତଙ୍କରାଜର ଉତ୍ପାତ, ହିଂସାକାଣ୍ଡର କ୍ରମାଗତ ବୃଦ୍ଧି, ହତ୍ୟା, ଗଣହତ୍ୟା, ଅପହରଣ, ନାରୀ ନିର୍ଯ୍ୟାତନା, ଉତ୍ପୀଡନ ଏବଂ ସାଂପ୍ରଦାୟିକତା ମନୋଭାବରୁ ଚାରିଆଡେ ଦୁଃସହ ଦଙ୍ଗାହଙ୍ଗାମା, ନିରୀହ ଜନଗଣଙ୍କୁ ନିଷ୍ଠୁର ହତ୍ୟାଲୀଳା, ଧନସଂପତି ଲୁଟ୍ ତରାଜ, ଦୋକାନ ଓ ବାସଗୃହକୁ ଜାଳି ଧ୍ୱଂସ କରିଦେବା, ଘରର ମହିଳାମାନେ ଗଣଧର୍ଷଣର ଶିକାର ହେବା, ସର୍ବୋପରି ଧର୍ମ ନାଁରେ ଏସବୁ ଅପକର୍ମ ଏ ଦେଶର ଜୀବନଧାରାକୁ ହାଣ ମୁହଁକୁ ମୁହାଁଇ ନେଇଛି। ଜଣାଶୁଣା ବାମପନ୍ଥୀ ଓ ଧର୍ମନିରପେକ୍ଷ ଦଳ, ସଂଗଠନଗୁଡିକ ଏ ଘୋର ଅନ୍ୟାୟ ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ କରିବାର ଆଶା ଯାହା କରାଯାଉଥିଲା, ତାହା ପାଣି ଫଟକା ପରି ମିଳେଇ ଯାଇଛି। ସେମାନଙ୍କ ମଧ୍ୟରୁ କେତେକ ନୀରବ-ନିଷ୍କ୍ରିୟ ଭାବରେ ବସି ରହିଥିବାବେଳେ ଅନ୍ୟ କେତେକ କେବଳ ସାମ୍ବିଧାନିକ ଧାରାରେ ଉଚ୍ଚାସ୍ୱରରେ ଭାଷଣ ଦେବା ଛଡା ଆଉ କିଛି କରିପାରୁନାହାଁନ୍ତି।

ସମୟ ଥିଲା – ସବୁଠୁ ସଂଗଠିତ ଥିଲା ଶ୍ରମିକ ଆନ୍ଦୋଳନ। ସେତେବେଳେ ଶ୍ରମିକମାନେ, ଶ୍ରମିକନେତାମାନେ ସତ୍ ମନରେ ଆପଣାର ଅଧିକାର ସାବ୍ୟସ୍ତ କରିବାପାଇଁ ଲଢେଇ କରୁଥିଲେ। ଯେଉଁଦିନଠାରୁ ମାଲିକଶ୍ରେଣୀ ନେତା କିଣିବା ଆରମ୍ଭ କଲେ – ଏପରିକି ମନ୍ତ୍ରୀ, ଏମ୍‌.ଏଲ୍‌.ଏ., ଅଫିସର ଏବଂ ନେତାମାନଙ୍କୁ ଲକ୍ଷଲକ୍ଷ ଟଙ୍କା ଲାଂଚ ଦେଲେ – ସେବଠୁଁ ନେତାମାନେ ବକ୍ରି ହୋଇ ହାଟରେ ବିକ୍ରି ହେଲେଣି । ଶ୍ରମିକଶ୍ରେଣୀ ପାଇଁ ଲଢେଇ କରୁଥିବା ନେତାମାନଙ୍କର ସତ୍‌ତା, ଦୂରଦୃଷ୍ଟି, ସାଧୁତା ଅଭାବରୁ ଶ୍ରମିକ ଆନ୍ଦୋଳନ ବିପଥଗାମୀ ହେବାରେ ଲାଗିଛି। ଯେଉଁ ନେତାମାନେ ମାଲିକର ଦଲାଲ ହେଲେ ନାହିଁ ସେମାନେ ମଧ୍ୟ ସଠିକ୍ ରାସ୍ତାରେ ସଠିକ୍ ନେତୃତ୍ୱ ଦେବାରେ ସକ୍ଷମ ହୋଇପାରୁନଥିବାରୁ ଶ୍ରମିକ ଶ୍ରେଣୀ ନାନାବିଧ ସମସ୍ୟା ଓ କ୍ଷତି ସହିବାରେ ଲାଗିଛନ୍ତି।

ଆମ ଆଖି ଆଗରେ ଆନ୍ଦୋଳନଗୁଡିକ ଶତ୍ରୁ ପକ୍ଷର ସାମାନ୍ୟ ଧକ୍କାରେ ଛିନ୍ନଛତ୍ର ହେବାର ଲାଗିଛି। ଆନ୍ଦୋଳନ ଆରମ୍ଭରେ ଆମେ କେତେ ବଡବଡ ସ୍ଲୋଗାନ୍ କଣ୍ଠ ଫଟେଇ ରଡିଛାଡି ରାସ୍ତା ଦଖଲ କରି ଶୋଭାଯାତ୍ରାରେ ଯାଇଛନ୍ତି। ଆମ ଶୋଭାଯାତ୍ରା, ଭାଷଣକୁ ଟିଭି, ରେଡିଓ, ଖବରକାଗଜ ବଡବଡ ହରଫରେ ଛାପୁଥିଲେ – ରେଡିଓ କହୁଥିଲା – ଟିଭି ଆମ ଚେହେରା ଦେଖାଉଥିଲା। ଆମେ ସବୁ ଗର୍ବ ଅଂହକାରରେ ଫାଟି ପଡୁଥିଲେ। ସତେ ଯେମିତି ଆମର ଜୟ ହାତ ମୁଠାରେ। ଗୋଟିଏ ଗୋଟିଏ ଆନ୍ଦୋଳନ ଗଢି ତୋଳିବା ପାଇଁ କର୍ମକର୍ତା-ଆଗୁଆମାନେ କେତେ ପରିଶ୍ରମ କରି ନଥିବେ ! କେତେ କୁଆଡୁ ଚାନ୍ଦାଆଦାୟ କରିଥିବେ। ଶୋଭାଯାତ୍ରାରେ ଯୋଗ ଦେଇଥିବା ସ୍ଲୋଗାନକାରୀମାନେ ପକେଟରୁ କେତେ ଟଙ୍କା ଖର୍ଚ୍ଚ କରିନଥିବେ । ଆଉ ଅଧିକାଂଶ ଶୋଭାଯାତ୍ରା ଆନ୍ଦୋଳନରେ ଲୋକ ଯୋଗାଡ କରିବା ପାଇଁ ଗାଡିମଟର, ଖାଇବା ପିଇବା, ମଜୁରୀ ବାବଦ କେତେ ଟଙ୍କା ଖର୍ଚ୍ଚ ହୋଇନଥିବ ! ଏସବୁ ହିସାବ କିତାବ ସାଧାରଣ ଲୋକେ ଜାଣିବା ଆବଶ୍ୟକ କି ନୁହେଁ । ସେ ଆଡକୁ କାହାର ନଜର ନାହିଁ।

ଆନ୍ଦୋଳନ ଯେ ପର୍ଯ୍ୟନ୍ତ ନିରାପଦ ଥିବ ଭାରି ବଢିଆ ଟିକେ ଆକ୍ରମଣ ହେଲେ ଛିନ୍ନଛତ୍ର। ପୁଣି ଆକ୍ରମଣ ପରେ ଆକ୍ରମଣ, ଗିରଫ, ଜେଲ, ନିର୍ଯ୍ୟାତନା ହେଲେ କଥା ସରିଲା । ଲୋକେ ଆନ୍ଦୋଳନ ବିମୁଖ ହୋଇପଡନ୍ତି । ଦାବୀସବୁ ଫସର ଫାଟିଯାଏ। ଲୋକଙ୍କର ସବୁବେଳେ ବିପଦ ଅଛି – ନେତାମାନେ ବିପଦରୁ ମୁକ୍ତି କରିଦେଇ ସବୁ ଦାବୀ ହାସଲ କରିଦେବେ ବୋଲି କହନ୍ତି । ଲୋକେ ବି ଖୁସି ହୁଅନ୍ତି । ସ୍ୱପ୍ନ ଦେଖନ୍ତି । ମାତିଯାଆନ୍ତି । ହଜାର ହଜାର ଲୋକ ଏକାଠି ହେଲେ – ଭାବନ୍ତି ଏଥର ଦାବୀପୂରଣ ନହୋଇ ଯିବ କୁଆଡେ ? ମାତୁମାତୁ ହଠାତ୍ ପୁଲିସର ଲାଠିଗୁଳି ଦେଖି କିଛି ଲୋକଙ୍କ ଅଧାସାହାସ କମିଯାଏ । କିଛି ଲୋକ ମହାବୀରର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି।

ଆନ୍ଦୋଳନକାରୀମାନେ ସଠିକ୍ ରାସ୍ତା ଓ ନେତୃତ୍ୱ ଦୃଢସଂଗଠନ ଅଭାବରୁ ଅଧାରୁ ଛତ୍ରଭଂଗ ଦିଅନ୍ତି । ସ୍ୱପ୍ନ ସବୁ ଭାଙ୍ଗିଚୁରମାର ହୋଇଯାଏ । ଅଧିକାଂଶ ଶତ୍ରୁର ଶରଣାପନ୍ନ ହୁଅନ୍ତି । ବିଶେଷକରି ଶ୍ରମିକନେତା, ଗଣଆନ୍ଦୋଳନର ନେତା, ଅର୍ଥନୈତିକ ସୁବିଧାବାଦର ଶିକାର ହେବା ଫଳରେ ସବୁ ଆନ୍ଦୋଳନ ଗର୍ଜ୍ଜନ । ନିଆଁଗିଳା ସ୍ଲୋଗାନରେ ଫସର ଫାଟି ଯାଉଛି ଏବଂ ସ୍ଥଳବିଶେଷରେ ବିପଥଗାମୀ ହେବାରେ ଲାଗିଛି । ବହୁନେତା ବିନା ବ୍ୟବସାୟରେ କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି । ମାଲିକମାନଙ୍କ ଜାଲିଆତି ଜାଲରେ ଶ୍ରମିକଶ୍ରେଣୀ ଛନ୍ଦି ହୋଇଗଲେଣି । କମ୍ ଶ୍ରମିକ କର୍ମଚାରୀରେ ବେଶୀ ଲାଭର ଲାଳସା ମାଲିକମାନଙ୍କୁ ପାଗଳ କରି ଦେଇଛି । ଶ୍ରମଶକ୍ତି ବଦଳରେ ଯନ୍ତ୍ରଶକ୍ତି ବ୍ୟବହାର କରି ଲକ୍ଷଲକ୍ଷ ଶ୍ରମିକଙ୍କୁ ଛଟେଇ କରି ଭିକାରୀରେ ପରିଣତ କରିଛନ୍ତି । ଆଗକୁ ବେକାରବାହିନୀର ଭୟଙ୍କର ରୂପ ଦେଖିବାକୁ ବାକି ରହିଲା।

ବର୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସଂତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ । ଭସ୍ମସ୍ତୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଭଗ୍ନସ୍ତୂପ ମଧ୍ୟରୁ ଜନଜୀବନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମ ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଂକଳ୍ପ ଅପରିହାର୍ଯ୍ୟ ।

ଆଜି ମନ୍ଦିର-ମସ୍‌ଜିଦ୍‌କୁ ନେଇ ଝଗଡା । ଧର୍ମ-ବିଧର୍ମକୁ ନେଇ ବିବାଦ । ସୀମା-ସନ୍ତ୍ରାସକୁ ନେଇ ତୁମ୍ବି ତୋଫାନ୍ । ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳ କରି ସାରା ପୃଥିବୀରେ ସଂପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତର ଚମତ୍କାରିତା ପ୍ରଦର୍ଶନ କରିଚାଲିଛି । ମାଟିଠୁ ମଣିଷକୁ ଅଲଗା କରି ଦିଆଯାଉଛି । ଲକ୍ଷ୍ୟଠୁ ଲୋଚନକୁ ଦୂରେଇ ରଖା ଯାଉଛି, ସ୍ୱପ୍ନଠୁ ସଂକଳ୍ପକୁ ହଟାଇ ନିଆଯାଇଛି । ସବୁ ସ୍ତରରେ ଲେଲିହାନ୍ ଲୋକଜିହ୍ୱା ବିସ୍ତାର କରି ଚାଲିଛି ଅତିଷ୍ଠ ଅସନ୍ତୋଷର ଅଗ୍ନିଶିଖା । ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକ ଶ୍ରେଣୀ, ଖଟରେ ଶୋଇ ମଠରେ ମାମଲାତି କରୁଥିବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ସି ଆଗରେ ଚେହେରା ସଜଉଥିବା ପ୍ରଶାସକ ବର୍ଗ ସମକାଳୀନ ସମାଜର ଏ ଉତ୍କଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ ।

ହାଣ ମୁହଁକୁ ମୁହାଇଁ ଚାଲିଥିବା ଆମର ଏ ଯୁଗ ଯୁଗର ଐତିହ୍ୟମୟ ଦେଶ ଓ ସମାଜଜୀବନକୁ କ’ଣ ଧ୍ୱଂସ ହେବା ପାଇଁ ଆମେ ଛାଡି ଦେବା ? ଗୋଟିଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର… ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇ ଦେବା ତା’ ଭିତରେ ? ନା, ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡିବ ଗଣସଂଗ୍ରାମର ଅମୋଘ ଅସ୍ତ୍ର । ସତ୍ ମନର ସ୍ୱପ୍ନ ଯଦି ସଂକଳ୍ପରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବରେ ସାର୍ଥକ ହେବ ଆମର ଆଗାମୀ ସମାଜର ସଜର୍ନା ଓ ସଂରଚନା।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ସମ୍ବନ୍ଧିତ ଖବର
between image and heading

Comments are closed.