ଗହଣା ଦୋକାନରେ ପଶି ମାଲିକଙ୍କୁ ଗୁଳିକଲେ ଦୁର୍ବୃତ୍ତ

ଭୁବନେଶ୍ଵର : ଗହଣା କିଣିବା ବାହାନାରେ ୬ ଦୁର୍ବୃତ୍ତ ଦୋକାନରେ ପଶି ମାଲିକକୁ ଗୁଳି କରିଛନ୍ତି। ତାଙ୍କ ପୁଅ ଉପରକୁ ଏସିଡ୍‌ ମାଡ଼ କରିଥିବା ବେଳେ ସ୍ଥାନୀୟ ଲୋକେ ୩ ଜଣଙ୍କୁ କାବୁ କରିଛନ୍ତି। ଏପରି ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଘଟିଛି। ଲୁଟେରାମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ବୈଶିଙ୍ଗା ଛକରେ ଧ୍ରୁବଚରଣ ମହାରଣାଙ୍କର ‘ବିଶ୍ୱକର୍ମା ଜୁଏଲାରୀ ନାମରେ ଏକ ଗହଣା ଦୋକାନ ରହିଛି। ଆଜି ଅପରାହ୍ନରେ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗହଣା କିଣିବା ପାଇଁ ଦୋକାନ ଭିତରେ ପଶିଥିଲେ। ପ୍ରଥମେ ସେମାନେ ଦୋକାନରେ ଗହଣା ଦେଖିଥିଲେ। ପରେ ସେମାନଙ୍କ ଭିତରୁ ଦୁଇ ଜଣ ଦୁର୍ବୃତ୍ତ ଗହଣା ଦୋକାନର ଉପର ମହଲାକୁ ଯାଇଥିଲେ। ଦୁର୍ବୃତ୍ତଙ୍କ ଚାଲିଚଳଣ ଉପରେ ଧ୍ରୁବଙ୍କର ସନ୍ଦେହ ହେବାରୁ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହା ଦେଖି ଗ୍ରାଉଣ୍ଟ ଫ୍ଲୋର୍‌ରେ ଥିବା ଅନ୍ୟ ୪ ଦୁର୍ବୃତ୍ତ ଧ୍ରୁବଙ୍କ ପୁଅ ରାମଚନ୍ଦ୍ର ମହରଣାଙ୍କ ଉପରେ ଏସିଡ୍‌ ମାଡ଼ କରି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ତେବେ ସ୍ଥାନୀୟ ଲୋକେ ୩ ଜଣ ଦୁର୍ବୃତ୍ତଙ୍କୁ କାବୁକରି ନିସ୍ତୁକ ମାଡ଼ମାରି ପୋଲିସ ଜିମା ଦେଇଥିବା ଜଣାପଡିଛି। ଗୁଳି ଓ ଏସିଡ ମାଡରେ ବାପ-ପୁଅ ଗୁରୁତର ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ମତାମତ ଦିଅନ୍ତୁ ।