ଘର ଭଡା ଦେବାକୁ ଟଙ୍କା ନ ଥିଲା, ଆତ୍ମହତ୍ୟା କରିବାକୁ ଚାହୁଁଥିଲି

ମୁମ୍ୱାଇ: ବଲିଉଡରେ ନେପୋଟିଜିମକୁ ନେଇ ବିବାଦ ଚାଲିଥିବା ବେଳେ ଅଭିନେତା ମନୋଜ ବାଜପେୟୀ ନିଜ କ୍ୟାରିଅରର ସଂଘର୍ଷ କଥା ଶେଆର କରିଛନ୍ତି।  ସ୍ଥିତି ଏପରି ଥିଲା ଯେ,  ତାଙ୍କ ପାଖରେ ଘର ଭଡା ଦେବା ପାଇଁ ଟଙ୍କା ନ ଥିଲା ବୋଲି କହିଛନ୍ତି।  କ୍ୟାରିଅର ଆରମ୍ଭରୁ ଏପରି ଦୁର୍ଦ୍ଦିନ ଦେଖି ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। କିନ୍ତୁ ସାଙ୍ଗମାନେ ଏପରି କଷ୍ଟଦାୟକ ସ୍ଥିତିରୁ ବାହାରିବା ନିମନ୍ତେ ତାଙ୍କୁ ସହଯୋଗ କରିଥିଲେ ବୋଲି ସେ କହିଛନ୍ତି। 

ମନୋଜ କହିଛନ୍ତି ଅଭିନୟ ହେଉଛି ତାଙ୍କର ଭବିଷ୍ୟତ, ୯ ବର୍ଷ ବୟସରେ ସେ ଏହା ଜାଣିବାକୁ ପାଇଥିଲେ। ତାଙ୍କ ବାପା ଜଣେ ଚାଷୀ। ତାଙ୍କର ୫ ଭାଇ ଭଉଣୀଙ୍କ ସହ ବିହାରର ଏକ ଗାଁରେ ସେ ବଢ଼ିଥିଲେ ।  ଗାଁ ସ୍କୁଲରେ  ପାଠ ପଢ଼ିଥିଲେ।  ସହରକୁ ଆସିବା ବେଳେ ସିନେମା ହଲକୁ ଯିବା ପାଇଁ ଇଚ୍ଛା  ରଖୁଥିବା ବେଳେ  ଅମିତାଭ ବଚ୍ଚନଙ୍କର ସେ ଜଣେ ବଡ଼ ଫ୍ୟାନ୍ ଥିଲେ। ଏପରିକି ତାଙ୍କ ପରି ହେବାକୁ ସ୍ୱପ୍ନ ଦେଖୁଥିଲେ। ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ପାଠ ପଢ଼ିବାର ଇଚ୍ଛାକୁ ମାରି ଦେଇଥିଲେ। 

ଏହାପରେ ସେ ଦିଲ୍ଲୀ ଆସି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଥିଏଟର କୋର୍ସରେ ଆଡମିଶନ କରିଥିଲେ। କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସେ ତିନି ଥର ରିଜେକ୍ଟ ହେବା ପରେ ଆତ୍ମହତ୍ୟା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେହି ରାତିରେ  ପାଖରେ ଥିବା ସାଙ୍ଗମାନେ ତାଙ୍କୁ ଏକୁଟିଆ ଛାଡି ନ ଥିବାରୁ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା।  ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ ନକରିବା ଯାଏ କଠିନ ପରିଶ୍ରମ କରିବେ ବୋଲି  ପଣ କରିଥିଲେ। 

ମୁମ୍ବାଇକୁ ଆସିବା ପରେ ମନୋଜ ପାଞ୍ଚ ଜଣଙ୍କ ସହ ଗୋଟିଏ ଚାଳ ଘରେ ରହି କାମ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ କୌଣସି କାମ ମିଳୁନଥିଲା। ଥରେ ଏକ ବିଜ୍ଞାପନ ଏଜେନ୍ସି ମୋର ଫଟୋ ଚିରି ଦେଇଥିଲା ଏବଂ ଗୋଟିଏ ଦିନରେ ତିନୋଟି ପ୍ରଜେକ୍ଟ ଛଡ଼ାଇ ନିଆଯାଇଥିଲା। ପ୍ରଥମ ସଟ୍ ପରେ ବାହାର କରିଦିଆଯାଇଥିଲା। ହିରୋଙ୍କ ଭଳି ମୁହଁ ନାହିଁ, ବଡ଼ ପରଦାରେ ଆସିବା ପାଇଁ ଯୋଗ୍ୟ ନୁହଁ ବୋଲି କୁହାଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଭଡା ଦେବାକୁ ମଧ୍ୟ ଟଙ୍କା ନଥିଲା କି ଖାଇବାକୁ ପଇସା ନଥିଲା। ହେଲେ ସଫଳତାର ଭୋକ ଅଧିକ ଥିବାରୁ  ସେସବୁକୁ ଖାତିର କରିନଥିଲି ବୋଲି କହିଛନ୍ତି ମନୋଜ। 

ମୁମ୍ୱାଇରେ ଏମିତି ୪ ବର୍ଷ ଧରି ସଂଘର୍ଷ କରିଥିଲେ ମନୋଜ। ଏହାପରେ ମହେଶ ଭଟ୍ଟଙ୍କ ସିରିଏଲ ‘ସ୍ୱାଭିମାନ’ରେ ରୋଲ୍ କରିବାକୁ ସୁଯୋଗ ମିଳିଥିଲା। ଏହି ସିରିଏଲ ସେତେବେଳେ ଦୂରଦର୍ଶନରେ ପ୍ରଦର୍ଶୀତ ଦେଉଥିଲା। ଗୋଟିଏ ଏପିସୋଡ ପାଇଁ 1500 ଟଙ୍କା ମିଳୁଥିଲା। ଏହାପରେ ‘ସତ୍ୟା’ ଫିଲ୍ମ ଜରିଆରେ ମନୋଜ ଫିଲ୍ମରେ ସୁଯୋଗ ପାଇଥିଲେ। ଏହା ପରେ ସେ ମୁମ୍ବାଇରେ ଏକ ଘର କିଣିଥିଲେ। ଏବେ ସୁଦ୍ଧା ସେ ୬୭ଟି ଫିଲ୍ମ କରିଥିବା କହିଛନ୍ତି।  ଦିନେ ଏହା କରିବେ ବୋଲି ଛୋଟ ବେଳେ ସ୍ୱପ୍ନ ଦେଖିଥିଲେ ଆଉ କଠିନ ପରିଶ୍ରମ ପରେ ଶେଷରେ ସେ ସଫଳ ହୋଇଥିବା କହିଛନ୍ତି।

ମତାମତ ଦିଅନ୍ତୁ ।