ଭୁବନେଶ୍ବର : ଓଲିଉଡର ଅନ୍ୟତମ ସୁନ୍ଦରୀ ଆଉ ଚୁଲ୍ବୁଲି ନାୟିକା ହେଲ ଦୀପିକା ତ୍ରିପାଠୀ । ଅନେକଗୁଡ଼ିଏ ସିନେମାରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏବେ ଦୀପିକା ତାଙ୍କର ଚଳଚ୍ଚିତ୍ର ‘ଚକ୍ରବ୍ୟୂହ’ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ୱାର୍ମଅପ୍ କରିବା ସହିତ ସିନେମାର ଚରିତ୍ର ପାଇଁ ଘରେ ରହି ପ୍ରାକ୍ ପ୍ରସ୍ତୁତି ଚଲାଉଛନ୍ତି ଦୀପିକା।
‘ଚକ୍ରବ୍ୟୂହ’ର କାହାଣୀ ମଧ୍ୟ ସେତିକି ମଜାଦାର ବୋଲି କହିଛନ୍ତି ଦୀପିକା । ଖଳନାୟକଙ୍କ ‘ଚକ୍ରବ୍ୟୂହ’ରେ ପଡ଼ି ନାୟକ ଓ ନାୟିକା କିପରି ହସ୍ତସନ୍ତ ହେଉଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି । ଏହା ଏକ ଆକ୍ସନର୍ଧମୀ ଫିଲ୍ମ ହୋଇଥିବାରୁ ଏହାର ଗୀତ ଏବଂ ଲୋକେସନ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସିନେମାର ସବୁ ପ୍ରସ୍ତୁତି ସରିଛି । କେବଳ ସୁଟିଂ ଆରମ୍ଭ ହେବାକୁ ବାକି ରହିଛି । ଦୀପିକା ଏବେ ଏହି ସିନେମାକୁ ନେଇ ଉତ୍ସାହିତ ଅଛନ୍ତି । ସୁନ୍ଦରୀ ଦୀପିକା ଓଲିଉଡରେ ଅନେକ ଚଳଚ୍ଚିତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିସାରିଛନ୍ତି ।
ତାଙ୍କ ଅଭିନୀତ ‘ଆଖିରେ ଆଖିରେ’, ‘ଗୋଲାପି ଗୋଲାପି’, ‘ଗପ ହେଲେ ବି ସତ’, ‘ତୋ’ ବାଟ ଚାହିଁଛି ରାତି ସାରା’, ‘ଆଖି ବୁଜିଦେଲେ ତୁ’, ‘ତୋର ମୋର ପ୍ରେମ କାହାଣୀ’, ‘ଫିୟର୍ ଅଫ୍ ଦ ଇଅର’, ‘ଟାଇଗର୍’, ‘ମୁଁ ତୁମେ ଲକ୍ଡାଉନ୍’ ଭଳି ଅନେକ ଚଳଚ୍ଚିତ୍ରରେ ଦୀପିକା ନିଜର ଦମ୍ ଦେଖାଇ ସାରିଛନ୍ତି । ‘ସର୍ଗମ୍’ଠାରୁ ଆରମ୍ଭ କରି ଅନେକ ଧାରାବାହିକରେ ବି ଦୀପିକା ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ଏବେ ତାଙ୍କର ଏହି ନୂଆ ଫିଲ୍ମ ପାଇଁ ସେ ବେଶ୍ କସରତ କରୁଥିବା କହିଛନ୍ତି ।