ଚନ୍ଦ୍ରପୃଷ୍ଠରେ ଅକ୍ଷତ ଅବସ୍ଥାରେ ବିକ୍ରମ, ପୁନଃ ଯୋଗାଯୋଗ ପାଇଁ ଇସ୍ରୋର ପ୍ରୟାସ

ନୂଆଦିଲ୍ଲୀ : ଚନ୍ଦ୍ର ପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ କରିବା ଯୋଗୁ ଲାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇଥିଲା। କିନ୍ତୁ ବିକ୍ରମ ଖଣ୍ଡ ବିଖଣ୍ଡିତ ହୋଇନି। ଅକ୍ଷତ ଅବସ୍ଥାରେ ରହିଥିଲେ ହେଁ ସାମାନ୍ୟ ଢ଼ଳି ଯାଇଛି। ଲାଣ୍ଡର ବିକ୍ରମର ସ୍ଥିତି ଜାଣିବା ପରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ନୂଆ ଆଶା ସଂଚାର ହୋଇଛି। ବିକ୍ରମ ସହ ପୁନଃ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ପାଇଁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଗତ ରବିବାର ମଧ୍ୟରାତ୍ରରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୨.୧ କିଲୋମିଟର ଉଚ୍ଚତାରେ ଥାଇ ସୂକ୍ଷ୍ମ ଅବତରଣ ବା ସଫ୍ଟ ଲାଣ୍ଡିଂ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା। ଶେଷ ମୁହୂର୍ତ୍ତରେ ସଫ୍ଟ ଲାଣ୍ଡିଂ ପରିବର୍ତ୍ତେ ହାର୍ଡ ଲାଣ୍ଡିଂ ବା କ୍ରାସ୍‌ ଲାଣ୍ଡିଂ କରିଥିଲା ଲାଣ୍ଡର ବିକ୍ରମ। ଏହା ପରଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ବର୍ତ୍ତମାନ ଚନ୍ଦ୍ର କକ୍ଷପଥରେ ପ୍ରଦିକ୍ଷଣ କରୁଥିବା ଅର୍ବିଟର ଚନ୍ଦ୍ରପୃଷ୍ଠରେ ବିକ୍ରମକୁ ଠାବକରି ଥର୍ମାଲ ଫଟୋଚିତ୍ର ଉତ୍ତୋଳନ କରି ଇସ୍ରୋକୁ ପଠାଇଛି। ତାହାକୁ ଦେଖିବା ପରେ ଇସ୍ରୋର ବୈଜ୍ଞାନିକମାନେ ଆଶାବାଦୀ ହୋଇଛନ୍ତି। କାରଣ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଅଞ୍ଚଳରେ ନିର୍ଦ୍ଧାରିତ ସ୍ଥାନରେ ବିକ୍ରମ ଅବତରଣ କରିପାରି ନଥିଲେ ମଧ୍ୟ ନିର୍ଦ୍ଧାରିତ ସ୍ଥାନର ପାର୍ଶ୍ୱରେ ଅବତରଣ କରିଛି। ହାର୍ଡଲାଣ୍ଡିଂ କରିବା ଯୋଗୁ ସିଧା ନରହି ସାମାନ୍ୟ ଢ଼ଳି ରହିଛି।

ମତାମତ ଦିଅନ୍ତୁ ।