ଚନ୍ଦ୍ରପୃଷ୍ଠରେ ଭାରତ ନିଜସ୍ୱ କେନ୍ଦ୍ର ସ୍ଥାପନ କରିବ

ନୂଆଦିଲ୍ଲୀ: ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତ ଚନ୍ଦ୍ରପୃଷ୍ଠରେ ଏକ ନିଜସ୍ୱ କେନ୍ଦ୍ର ବା ବେସ୍‌ ସ୍ଥାପନ କରିବ। ସେଠାରେ ଉପଲବ୍ଧ ବିଶେଷ ଖଣିଜ ପଦାର୍ଥରୁ ହିଲିୟମ-୩ ବାହାର କରି ତାକୁ ପୃଥିବୀ ପୃଷ୍ଠକୁ ଆଣିବ। ଏହା କରି ପାରିବାର କ୍ଷମତା ଭାରତ ନିକଟରେ ରହିଛି। ଡିଆର୍‌ଡିଓର ପ୍ରାକ୍ତନ ବୈଜ୍ଞାନିକ ତଥା ବ୍ରହ୍ମୋସ୍‌ ମିସାଇଲ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଏ. ଶିବଥାନୁ ପିଲାଇ ଏହି ସୂଚନା ଦେଇଛନ୍ତି।

ଦୂରଦର୍ଶନ ପକ୍ଷରୁ ରବିବାର ଆୟୋଜିତ ‘ଓ୍ଵାର ଆଣ୍ଡ୍‌ ପିସ୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ଅବସରରେ ଶ୍ରୀ ପିଲାଇ କହିଛନ୍ତି ଅନ୍ତରୀକ୍ଷ ଜ୍ଞାନକୌଶଳର ଅଧିକାରୀ ଥିବା ବିଶ୍ୱର ୪ଟି ରାଷ୍ଟ୍ର ମଧ୍ୟରୁ ଭାରତ ହେଉଛି ଅନ୍ୟତମ ଓ ଅଗ୍ରଗଣ୍ୟ। ଏହାଛଡା ଚନ୍ଦ୍ରପୃଷ୍ଠରେ ନିଜସ୍ୱ କେନ୍ଦ୍ର ସ୍ଥାପନ କରିବାର ଦକ୍ଷତା ଓ ଜ୍ଞାନକୌଶଳ ଭାରତ ନିକଟରେ ମହଜୁଦ୍‌ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଶ୍ରୀ ପିଲାଇ କହିଛନ୍ତି ଚନ୍ଦ୍ରପୃଷ୍ଠରେ ବିପୁଳ ପରିମାଣର ହିଲିୟମ୍‌-୩ ମହଜୁଦ୍‌ ରହିଛି। ଏହା ଭବିଷ୍ୟତ ପାଇଁ ଶକ୍ତିର ଉତ୍ସ। ଯାହାକି ୟୁରାନିୟମ ଠାରୁ ୧୦୦ ଗୁଣ ଅଧିକ ଶକ୍ତି ପ୍ରଦାନ କରିଥାଏ। ଏହାକୁ ଆଣିବା ପାଇଁ ଭାରତ ଚନ୍ଦ୍ରପୃଷ୍ଠରେ ଏକ ନିଜସ୍ୱ କାରଖାନା ସ୍ଥାପନ ସହିତ ସେଠାରେ ଉପଲବ୍ଧ ବିଶେଷ ଖଣିଜ ପଦାର୍ଥକୁ ଖନନ କରିବ। ସେଥିରୁ ହିଲିୟମ-୩ ବାହାର କରି ପୃଥିବୀ ପୃଷ୍ଠକୁ ଆଣିବାର କ୍ଷମତା ଭାରତ ନିକଟରେ ରହିଛି।

ସେ କଇଛନ୍ତି ଭାରତ କେବଳ ହିଲିୟମ-୩ ଉତ୍ପାଦନ କରି ପୃଥିବୀକୁ ଆଣିବନି ବରଂ ଚନ୍ଦ୍ରପୃଷ୍ଠରେ ଏକ ଲଞ୍ଚିଂହବ୍‌ ରୂପେ କାର୍ଯ୍ୟ କରିବ। ଏଠାରୁ ସୌରମଣ୍ଡଳର ଅନ୍ୟଗ୍ରହ ଗୁଡ଼ିକୁ ବିଭିନ୍ନ ଯାନ ପଠାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯାଇ ପାରିବ। ଆମେରିକା, ଋଷିଆ ଓ ଚୀନ୍‌ ନିକଟରେ ଏପରି ବିଶେଷ ଦକ୍ଷତା ଓ ଜ୍ଞାନକୌଶଳ ରହିଥିବା ବେଳେ ଭାରତ ଏ କ୍ଷେତ୍ରରେ ଏ ତିନି ରାଷ୍ଟ୍ରଙ୍କ ଠାରୁ ବହୁ ଆଗରେ ରହିଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।