Breaking Newsବିଶେଷ

ଚୀନର ଋଣ କୂଟନୀତି

॥ ଗୋପାଳ ମହାପାତ୍ର ॥
ବିଗତ ୧୫ ରୁ ୨୦ ବର୍ଷ ମଧ୍ୟରେ ଚୀନ ଅଧିକ ବିକାଶ କରିଛି। ଚୀନର ଆର୍ଥୀକ ଯାଦୁ ଏବେ ବିଶ୍ୱର ଅନେକ ଦେଶକୁ କବଳିତ କରିବାରେ ଲାଗିଛି। ବ୍ୟାପକ ଅର୍ଥ ଋଣ ଆକାରରେ ଦେଇ ସେମାନଙ୍କ ଉପରେ ଲଦି ହୋଇପଡ଼ିଛି ଚୀନ। ଯାହା ଫଳରେ ଋଣ ନେଇଥିବା ଦେଶଗୁଡିକ ଚୀନର କବଳରୁ ମୁକୁଳି ପାରୁନାହାଁନ୍ତି। ଅଧିକରୁ ଅଧିକ ପୁଞ୍ଜି ନିବେଶ କରି ଚୀନ ନିଜର ଅର୍ଥ ବ୍ୟବସ୍ଥାକୁ କେବଳ ସୁଦୃଢ଼ କରିନାହିଁ, ବିଶ୍ୱ ରାଜନୀତିରେ ତା’ର ସ୍ଥିତିକୁ ମଜବୁତ କରିପାରିଛି।

ଏକଥା ଏବେ ଚିନ୍ତା କରିବାର ବିଷୟ। ତଥ୍ୟ ଅନୁସାରେ ଚୀନ ଦେଇଥିବା ଋଣ ତା’ର ସମସ୍ତ ଘରୋଇ ଉତ୍ପାଦ (ଜିଡ଼ିପି)ର ୩୦୦ ପ୍ରତିଶତ। ଯାହା ବୈଶ୍ୱିକ ଋଣର ୧୫ ପ୍ରତିଶତ ବା ଅନ୍ୟ ଅର୍ଥରେ ଆନୁମାନିକ ୪୦ ଟ୍ରିଲିୟନ ଆମେରିକୀୟ ଡଲାର। ଚୀନର ଅନ୍ୟ ଦେଶମାନଙ୍କରେ ଚୀନର ପୁଞ୍ଜି ନିବେଶ। ଚୀନର ଏଭଳି ରଣନୀତି ଆର୍ଥୀକ ନୀତି ଠାରୁ ଅଧିକ ବୈଦେଶିକ ନୀତି ଦ୍ୱାରା ସଞ୍ଚାଳିତ ହେବାପରି ମନେ ହୁଏ। ଆମେରିକାନ ଏଣ୍ଟରପ୍ରାଇଜ ଇନ୍‌ଷ୍ଟିଚ୍ୟୁଟ୍ ଆଣ୍ଡ ହେରିଟେଜ ଫାଉଣ୍ଡେସନ ଦ୍ୱାରା ସଂଗୃହୀତ ତଥ୍ୟ ଅନୁସାରେ ବିଗତ ୧୫ ବର୍ଷ ମଧ୍ୟରେ ଚୀନ ବିଶ୍ୱର ବିଭିନ୍ନ ଦେଶରେ ୨ଟ୍ରିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରିଛି। ଯାହାକି ୨୦୦୪ରୁ ୨୦୧୯ ମଧ୍ୟରେ ଭାରତର ସମୁଦାୟ ଜିଡ଼ିପି ଆକାରର ବୃଦ୍ଧି ସହ ସମାନ।

ଚୀନ ଯେଉଁ ଦୁଇ ଟ୍ରିଲିୟନ ଡଲାର ପୁଞ୍ଜି ନିବେଶ କରିଛି ତାହା ମଧ୍ୟରୁ ୧.୨ ଟ୍ରିଲିୟନ ଆମେରିକୀୟ ଡଲାର ବିଭିନ୍ନ ଶିଳ୍ପ ସଂସ୍ଥାରେ ବିନିଯୋଗ କରିଥିବା ବେଳେ ୮୨୯ ବିଲିୟନ ଡ଼ଲାର ନିର୍ମାଣ କ୍ଷେତ୍ରରେ ଲାଗିଛି। ଚୀନକୁ ମିଳିଥିବା ଠିକା କାମ (ଟେଣ୍ଡର)ରେ ଏହି ଅର୍ଥ ପାଇଁ ନିବେଶ ହୋଇଛି। ସାଧାରଣ ଭାବରେ ଅଧିକ ବିକଶିତ ଦେଶମାନଙ୍କରେ ନିବେଶର ମୁଖ୍ୟ ସ୍ରୋତ ଇକ୍ୱିଟି ନିବେଶ। କିନ୍ତୁ ବିକାଶଶୀଳ ଦେଶମାନଙ୍କରେ ନିର୍ମାଣ ସମ୍ବନ୍ଧିତ କାର୍ଯ୍ୟରେ ଅଧିକ ଅର୍ଥ ନିବେଶ ହୋଇଥାଏ। ମଜାର କଥା ହେଉଛି ଚୀନ ଅନେକ ଇସଲାମିକ ଦେଶରେ ବିଭିନ୍ନ ନିର୍ମାଣ କାର୍ଯ୍ୟ (ଟେଣ୍ଡର) ପାଇଛି। ସେହି ନିର୍ମାଣ କାର୍ଯ୍ୟରେ ନିବେଶ କରିଛି ପୁଞ୍ଜି। ବିଭିନ୍ନ ଦେଶର ଶିଳ୍ପ ସଂସ୍ଥାରେ ଚୀନ ୩୪ ପ୍ରତିଶତ ନିବେଶ ଓ ତା’ଠାରୁ ଅଧିକ ନିବେଶ କରିଛି। ଏସବୁ ନିବେଶରୁ ଚୀନକୁ ମିଳୁଛି ୨୮୨ ବିଲିଅନ ଆମେରିକୀୟ ଡ଼ଲାର। ଅନେକ ଦେଶର ଶିଳ୍ପ ସଂସ୍ଥାରେ ଚୀନ ଲୋକ ହିଁ କାର୍ଯ୍ୟ କରୁଛନ୍ତି। ୨୦୦୪ରୁ ୨୦୧୯ ମଧ୍ୟରେ ୧୦ଟି ଦେଶକୁ ଚୀନ ତା’ର ଋଣ ପରିମାଣ ୫ଗୁଣ ବୃଦ୍ଧି କରିଛି। ଏହି କାରଣରୁ ପାକିସ୍ଥାନ ଭଳି ଆର୍ଥୀକ ଦୁର୍ବଳ ଶ୍ରେଣୀର ଦେଶ ଏବେ ଦେବାଳିଆ ହେବାକୁ ଯାଉଛି। ଏମିତି ବି ଦେଖାଯାଇଛି ଯେଉଁ ଦେଶ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ନେଇଥିବା ଋଣ ଅର୍ଥ ଶୁଝି ନପାରିଲେ ସେ ଦେଶର ରାଷ୍ଟ୍ରୀୟ ସଂପଦକୁ ଅକ୍ତିଆର କରିନେଉଛି ଚୀନ। ଏହାର ଏକ ଉଦାହରଣ ହେଉଛି ଶ୍ରୀଲଙ୍କା। ଶ୍ରୀଲଙ୍କାରେ ଚୀନ ୧୩.୮ ବିଲିୟନ ଆମେରିକୀୟ ଡଲାର ନିବେଶ କରିଛି। ଯାହାଫଳରେ ଶ୍ରୀଲଙ୍କା ବାଧ୍ୟ ହୋଇ ୨୦୧୭ରେ ତା’ର ଗୁରୁତ୍ୱପୂର୍ଣ୍ଣ ବନ୍ଦର ହମବନଟୋଟାକୁ ଚୀନ ହାତରେ ଟେକି ଦେଇଛି। ୨୦୧୯ର ତଥ୍ୟ ଅନୁସାରେ କେନିଆ ତାର ମମବାସା ବନ୍ଦରକୁ ଋଣ ଶୁଝି ନପାରିବା କାରଣରୁ ଚୀନକୁ ଦେଇଛି। ଏମିତି ଘଟଣା ମଧ୍ୟ ଇକ୍ୱେଡରରେ ଘଟିଛି। ଋଣ ଶୁଝି ନପାରିବା କାରଣରୁ ଇକ୍ୱେଡରର ଏକ ବୃହତ୍ ସଂସ୍ଥାର ଏକ ତୃତୀୟାଂଶ ଚୀନ ହାତକୁ ଚାଲିଯିବାକୁ ବସିଛି।

ସେହିପରି ପାକିସ୍ଥାନତ ଚୀନ ଆଗରେ ନିଜକୁ ସମର୍ପଣ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ପାକିସ୍ଥାନ ତା’ର ବେଲ୍ଟୱେ ପ୍ରୋଜେକ୍ଟ ପାଇଁ ୯୦ ବିଲିୟନ ଆମେରିକୀୟ ଡଲାର ଚୀନ ଠାରୁ ଋଣ ନେଇଛି। ଏହି ଋଣ ଅର୍ଥ ପାକିସ୍ଥାନକୁ ୨୦୩୭-୩୮ ପୂର୍ବରୁ ଶୁଝିବାକୁ ପଡ଼ିବ। ପାକିସ୍ଥାନ ପୂର୍ବରୁ ମଧ୍ୟ ଚୀନ ସମେତ ଅନେକ ଦେଶରୁ ବହୁ ପରିମାଣର ଅର୍ଥ ଋଣ ଆକାରରେ ଆଣିଛି। ଅନୁମାନ କରାଯାଉଛି ପାକିସ୍ଥାନ ଚୀନକୁ ଧାର୍ଯ୍ୟ ସମୟ ପୂର୍ବରୁ ଋଣ ଶୁଝି ପାରିବ ନାହିଁ। ଏବେ ଦେଖିବାକୁ ବାକି ରହିଲା ଚୀନ ହାତରେ କ’ଣ ସବୁ ସମର୍ପଣ କରୁଛି ପାକିସ୍ଥାନ। ଆଉ ଏହାଦ୍ଵାରା ଭାରତର ପ୍ରତିରକ୍ଷା ଓ ବାଣିଜ୍ୟ ଉପରେ କ’ଣ ପଡୁଛି ଏହାର ପ୍ରଭାବ। ଯାହାବି ହେଉ ନିଜର ଏଇ ଋଣ କୁଟନୀତି ମାଧ୍ୟମରେ ଚୀନ ଇସଲାମିକ୍ ଦେଶକୁ ନିଜ ଅକ୍ତିଆରରେ ରଖିବାରେ ସମର୍ଥ ହୋଇଛି। ଚୀନରେ ମୁସଲମାନମାନେ ନିର୍ଯାତିତ ହେଉଥିଲେ ମଧ୍ୟ ଇସଲାମିକ ଦେଶଗୁଡ଼ିକ ତା’ ବିରୁଦ୍ଧରେ ମୁହଁ ଖୋଲୁନାହାନ୍ତି। ଏବେ ଋଣ ଜାଲରେ ବିଶ୍ୱର ଆଉ କେତେକ ଦେଶକୁ ଛନ୍ଦିବା ପାଇଁ ଚୀନ ଚେଷ୍ଟା କରୁଛି। ଭାରତରେ ମଧ୍ୟ ଅଧିକ ପରିମାଣର ପୁଞ୍ଜି ନିବେଶ କରିଛି ଚୀନ୍। କିନ୍ତୁ ଗତ ମାସ ୧୫ ତାରିଖର ଗଲବାନ ଘାଟି ଘଟଣା ପରେ ଭାରତ ତା’କୁ ଉଚିତ୍ ଜବାବ ଦେଇଛି ।

ଭାରତ ଚୀନର ୫୯ଟି ଆପ୍‌କୁ ବ୍ୟାନକରି ଝଟକା ଦେଇଥିଲେ ହେଁ ଏହା ଯଥେଷ୍ଟ ନୁହେଁ। ଭାରତୀୟ ବ୍ୟବସାୟୀମାନେ ଏବେ ଚୀନ ଜିନିଷକୁ ବହିଷ୍କାର କରିବା ପାଇଁ ଯେଉଁ ନିର୍ଣ୍ଣୟ ନେଇଛନ୍ତି ତାହାଦ୍ଵାରା ୨୦୨୧ ଡ଼ିସେମ୍ବର ସୁଦ୍ଧା ଚୀନରୁ ଆମଦାନୀ କମିବ। ଏହାର ପରିମାଣ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି କୁହାଯାଉଛି। ଏବେ ଭାରତ ଚୀନରୁ ୭୦ ଆରବ ଡଲାରର ଆମଦାନୀ କରୁଥିଲା । କିନ୍ତୁ ଚୀନକୁ ୧୬ ରୁ ୧୭ ଆରବ ଡଲାରର ରପ୍ତାନୀ କରୁଥିଲା । ଗଲବାନ ଘାଟି ଘଟଣା ପରେ ମହାରାଷ୍ଟ୍ରରେ ଚୀନ କମ୍ପାନୀକୁ ଦିଆଯାଇଥିବା ୫ହଜାର କୋଟି ଟଙ୍କାର ଟେଣ୍ଡରକୁ ରଦ୍ଦ କରିଦିଆଯାଇଛି। ଭାରତୀୟ ରେଳବାଇ ମଧ୍ୟ ଚୀନର କମ୍ପାନୀକୁ ଦିଆଯାଇଥିବା ୪୭୧ କୋଟି ଟଙ୍କାର ଠିକା କାମକୁ ରଦ୍ଦ କରିଛି। ଏବେ ଚୀନର ଆର୍ଥୀକ ଅଭିବୃଦ୍ଧି ହାର କମିଛି। ବେଲଟ ଆଣ୍ଡ ରୋଡ଼ ଇନିସିଏଟିଭକୁ ନେଇ ବିବାଦ ସହ ହଙ୍ଗ୍‌କଙ୍ଗ୍ ବିବାଦ ମଧ୍ୟ ଚୀନକୁ ବିବାଦର ଜାଲରେ ଛନ୍ଦିବାକୁ ବସିଲାଣି। ଚୀନର ଋଣ କୁଟନୀତି କାରଣରୁ ପାକିସ୍ଥାନ ଭଳି ଦେଶ ତାକୁ ସମର୍ଥନ କରୁଥିବା ବେଳେ ଭାରତକୁ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଇସ୍ରାଏଲ ଭଳି ଦେଶ ସହଯୋଗ ଯୋଗାଇ ଦେବାପାଇଁ ଆଗଭର ହେଲେଣି। ଭାରତରେ ଯଦିଓ ଚୀନର ପୁଞ୍ଜିନିବେଶ ରହିଛି ତାହା ଭାରତକୁ ବା ଭାରତର ଅର୍ଥନୀତିକୁ ଅଧିକ ଭାବେ ପ୍ରଭାବିତ କରିପାରିବ ନାହିଁ। ଏବେ ଚୀନ ବିରୁଦ୍ଧରେ ଶକ୍ତିଶାଳୀ ରାଷ୍ଟ୍ରମାନେ ଯେଭଳି ମେଣ୍ଟ କରିବା ଆରମ୍ଭ କଲେଣି ତାହା ଚୀନର ଋଣ କୁଟନୀତିର ଜାଲକୁ ଛିଣ୍ଡାଇ ଦେବାରେ ସହାୟକ ହେବ ନିଶ୍ଚୟ।
ରାମଚନ୍ଦ୍ରପୁର, ରଣପୁର, ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।

Back to top button