ଚୀନର ୧୨ ସୈନିକଙ୍କୁ ମାରିଥିବା ବୀର ସହିଦ ଗୁରତେଜ ସିଂ

ନୂଆଦିଲ୍ଲୀ : ଜୁନ୍‌ ୧୫ ରାତିର ଘଟନା। ଲଦାଖର ଗଲୱାନ ଘାଟିରେ ଚୀନ ଓ ଭାରତ ସୈନ୍ୟଙ୍କ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ। ଏଥିରେ ଭାରତର ଜଣେ ଅଧିକାରୀଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଅପ୍ରତ୍ୟାଶିତ ଆକ୍ରମଣର ମୁକାବିଲା କରିଥିଲେ ଭାରତୀୟ ସେନାର ଯବାନ। ଚୀନର ଅନେକ ସୈନ୍ୟ ହୋଇଥିଲେ ନିହତ।

ସହିଦ ହୋଇଥିବା ଭାରତୀୟ ଯବାନଙ୍କ ଭିତରୁ ଜଣେ ଏକାକୀ ଚୀନ୍‌ର ୧୨ ଜଣ ସୈନିକଙ୍କୁ ହତ୍ୟା କରିଥିବା ଏବେ ଜଣାପଡିଛି। ଏହି ସୈନିକ ଜଣକ ହେଉଛନ୍ତି ୨୩ ବର୍ଷ ବୟସ ସହିଦ ଗୁରତେଜ ସିଂ। ଜୁନ ୧୫ ସଂଘର୍ଷରେ ସେ ସହିଦ ହୋଇଛନ୍ତି। କିନ୍ତୁ ଏହା ପୂର୍ବରୁ ଦେଶମାତୃକାର ସୁରକ୍ଷା ପାଇଁ ଚୀନ ସେନାକୁ ଦେଇଛନ୍ତି ଉପଯୁକ୍ତ ଶାସ୍ତି।

ପଞ୍ଜାବର ଏହି ଯୁବକ ଗୁରତେଜଙ୍କୁ ଦେହିଲେ ପିଲା ଭଳି ମନେ ହୁଏ। କିନ୍ତୁ କେହି ବିଶ୍ୱାସ କରିପାରିବେନି ତାଙ୍କ ପାଖରେ ଥିଲେ ଏତେ ଶକ୍ତି ଓ ସାମର୍ଥ୍ୟ। ୩ ପଞ୍ଜାବ ରେଜିମେଣ୍ଟରେ ଘାତକ ପ୍ଲାଟୁନର ସଦସ୍ୟ ଥିଲେ ଗୁରତେଜ । ଏମାନଙ୍କୁ ଦିଆଯାଇଥିଲା କମାଣ୍ଡୋଙ୍କ ଭଳି ପ୍ରଶିକ୍ଷଣ। ଯାହାଫଳରେ ସମ୍ମୁଖ ଯୁଦ୍ଧରେ ଶତ୍ରୁର ମୁକାବିଲା କରିବା ପାଇଁ ସେ ଥିଲେ ସିଦ୍ଧହସ୍ତ ।

ଘଟଣାଦିନ ଭାରତୀୟ ସେନା କ୍ୟାମ୍ପକୁ ସୂଚନା ମିଳିଥିଲା ଚୀନ୍‌ ସେନା ଭାରତୀୟ ସେନାର ପାଟ୍ରୋଲିଂ ଦଳ ଉପରେ ଅତର୍କିତ ଆକ୍ରମଣ କରିଛି। ୧୬ ବିହାର ରେଜିମେଣ୍ଟର କମାଣ୍ଡର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ଆଉ କିଛି ଯବାନ ନିହତ ହୋଇଛନ୍ତି। ତେଣୁ ପାଟ୍ରୋଲିଂ ଦଳକୁ ସହାୟତା କରିବା ପାଇଁ ୩ ଶିଖ୍‌ ରେଜିମେଣ୍ଟର ଘାତକ ପ୍ଲାଟୁନର କିଛି ସଦସ୍ୟ, ୧୬ ବିହାର ରେଜିମେଣ୍ଟର କିଛି ସୈନିକ ଓ ମିଡିୟମ ଆର୍ମି ରେଜିମେଣ୍ଟର ଶିଖ୍‌ ଗନରମାନଙ୍କୁ ସେଠାକୁ ପଠାଯାଇଥିଲା । ଭାରତୀୟ ସେନା ପାଖରେ ପ୍ରସ୍ତୁତି କରିବାକୁ ବେଶୀ ସମୟ ନଥିଲା । ତେଣୁ ସେମାନେ ଠେଙ୍ଗା, ରଡ୍‌ ଓ ଛୁରୀ ଧରି ସେଠାକୁ ଦୌଡ଼ିଥିଲେ।

ବାସ୍ତବ ନିୟନ୍ତ୍ରଣ ରେଖାର ଦୁଇ କିମି ଭିତରେ ସ୍ୱୟଂଚାଳିତ ଅସ୍ତ୍ର ଓ ବିସ୍ଫୋରକର ବ୍ୟବହାର ଉପରେ କଟକଣା ଥିବାରୁ ସେମାନେ ଏପରି କରିଥିଲେ । ଆଉ ଶିଖ୍‌ ସୈନିକମାନେ ନିଜ ସାମ୍ପ୍ରଦାୟର ଅନ୍ୟ ଲୋକଙ୍କ ଭଳି ନିଜ ପାଖରେ କ୍ରିପାଣ ରଖିଥିଲେ । ସେମାନେ ଗଲୱାନର ପଏଣ୍ଟ ୧୪ ନିକଟରେ ପହଞ୍ଚିବା ପରେ ଉଭୟ ପକ୍ଷ ଭିତରେ ତୁମୁଳ ସଂଘର୍ଷ ଆରମ୍ଭ ହୋଇଥିଲା । ଚୀନ୍‌ ସୈନିକଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ଥିଲେ ।

କିନ୍ତୁ ଭାରତୀୟ ସୈନିକ ଏସବୁ ପ୍ରତି ଧ୍ୟାନ ନଦେଇ ସେମାନଙ୍କ ଉପରକୁ ଝାମ୍ପ ଦେଇଥିଲେ । କିଛି ସୈନିକଙ୍କ ବେକ ମୋଡି ଛିଣ୍ଡେଇ ଦେଇଥିଲେ । ଚୀନ୍‌ ସୈନିକଙ୍କ ଠାରୁ ଧାରୁଆ ଅସ୍ତ୍ର ଛଡେଇ ଆଣି ସେଥିରେ ସେମାନଙ୍କ ଦେହକୁ ଭୁସି ଦେଇଥିଲେ । ଏହି ଲଢେଇ ସମୟରେ ଘାତକ କମାଣ୍ଡୋର ସଦସ୍ୟ ଥିବା ଗୁରତେଜ ସିଂଙ୍କ ଉପରେ ଏକାବେଳେ ଚୀନ୍‌ର ୪ ଜଣ ସୈନିକ ଆକ୍ରମଣ କରିଥିଲେ । ଗୁରତେଜ ଅତି ଜୋରରେ ‘ବୋଲେ ସୋ ନିହାଲ, ସତ ଶ୍ରୀ ଅକାଲ’ କହିବା ସହିତ ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଦୁଇ ହାତରେ ଉପରକୁ ଟେକି ଦେଇ କିଛି ସମୟ ଝୁଲାଇ ରଖିଥିଲେ । ତା’ ପରେ ସେ ତାଙ୍କ ଉପରେ ଆକ୍ରମଣ କରିଥିବା ୪ ଜଣ ସୈନିକଙ୍କୁ ଏକ ସମୟରେ ଘୋଷାଡି ଘୋଷାଡି ନେଇ ପାହାଡ ତଳକୁ ଫିଙ୍ଗି ଦେଇଥିଲେ । ଯାହାଫଳରେ ଚୀନ୍‌ର ୪ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏପରି କରିବା ସମୟରେ ସେ ନିଜେ ପାହାଡ ମୁଣ୍ଡିଆ ଉପରୁ ତଳକୁ ଖସି ପଡିଥିଲେ । କିନ୍ତୁ ସେ ଗୋଟିଏ ବଡ ପଥରକୁ ଧରି ଝୁଲି ରହି ଉପରକୁ ଆସିବାରେ ସକ୍ଷମ ହୋଇଥିଲେ। ଆଉ ଆରମ୍ଭ କରିଥିଲେ ପ୍ରତିପକ୍ଷ ଉପରେ ଆକ୍ରମଣ। ନିଜ କ୍ରିପାଣ ବ୍ୟବହାର କରି ଚୀନ୍‌ର ଆଉ ୭ ଜଣ ସୈନିକଙ୍କ ବେକ କାଟି ଦେଇଥିଲେ ।

ଏତିକିବେଳେ ଚୀନ୍‌ର ଅନ୍ୟ ଜଣେ ସୈନିକ ଗୁରତେଜଙ୍କ ପଛ ପଟରୁ ତାଙ୍କ ଦେହରେ ଛୁରି ଭୁସି ଦେଇଥିଲା । ଗୁରତେଜ ଗୁରୁତର ଆହତ ହୋଇଥିଲେ । ପ୍ରାଣ ହରାଇବା ପୂର୍ବରୁ ସେ ତାଙ୍କ ଉପରେ ଆକ୍ରମଣ କରିଥିବା ଚୀନ୍‌ ସୈନିକକୁ ମାରି ଦେଇଥିଲେ । ଏପରି ଭାବେ ଗୁରତେଜ ଏକାକୀ ଚୀନ୍‌ର ୧୨ ଜଣ ସୈନିକଙ୍କୁ ନିପାତ କରିଥିଲେ । ଗୁରତେଜଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ଶୋକାଭିଭୂତ ହୋଇପଡିଥିଲେ ହେଁ ତାଙ୍କର ବୀରତ୍ୱ ଓ ବଳିଦାନ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଖାଲି ତାଙ୍କ ପରିବାର ନୁହେଁ, ବରଂ ପୂରା ଭାରତ ତାଙ୍କ ପାଇଁ ଏବେ ଗର୍ବ ଅନୁଭବ କରୁଛି ।

ମତାମତ ଦିଅନ୍ତୁ ।