ଚୀନ୍‌ ରାଷ୍ଟ୍ରପତିଙ୍କୁ ଆନ୍ନମ ଦୀପ ଓ ତାଞ୍ଜାବୁର୍‌ ଚିତ୍ରକଳା ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଗୋଟାଏ ‘ନାଚିଆର୍‌କୋଇଲ୍‌’ (ଉତ୍ତମରୂପେ ସୁନା କଲେଇ ହୋଇଥିବା ଦୀପ) ଓ ଏକ ନୃତ୍ୟରତା ସରସ୍ୱତୀଙ୍କ ତାଞ୍ଜାବୁର୍‌ ଚିତ୍ରକଳା ଉପହାର ଦେଇଛନ୍ତି। ଛଅ ଫୁଟ୍‌ ଉଚ୍ଚର ଏହି ଦୀପଟି ବ୍ରୋଞ୍ଜ୍‌ରେ ତିଆରି ହୋଇଛି। ଏହାକୁ ତିଆରି କରିବାକୁ ୧୨ ଦିନ ଲାଗିଥିଲା। ଦୀପର ଉପରେ ରହିଛି ଦେବପକ୍ଷୀ ‘ଆନ୍ନମ’। ‘ଆନ୍ନମ’ ଜଳରୁ ଦୁଗ୍ଧକୁ ଅଲଗା କରିପାରେ। ଅର୍ଥାତ୍‌ ମନ୍ଦରୁ ଭଲକୁ ବାଛିବାର ଦକ୍ଷତା ତା’ର ରହିଛି। ଏହି ଦୀପର ବଇଠ ଗୋଲାକାର ଓ ଅନେକ ଆକୃତିରେ ସଜାଯାଇଛି।

ନୃତ୍ୟରତା ସରସ୍ୱତୀଙ୍କ ଛବି ଥିବା ତାଞ୍ଜାବୁର୍‌ ଚିତ୍ରକଳାର ଉଚ୍ଚତା ହେଉଛି ତିନ ଫୁଟ୍‌ ଓ ଓସାର ଚାରି ଫୁଟ୍‌। ତିଆରି କରିବାକୁ ଲାଗିଥିଲା ପ୍ରାୟ ୪୫ ଦିନ। ଏହାକୁ ଗୋଟାଏ କାଠ ଫ୍ରେମ୍‌ ଦେଇ ବନ୍ଧାଇ କରାଯାଇଛି। ଜ୍ଞାନ, ସଙ୍ଗୀତ, କଳା, ପ୍ରକୃତି ଓ ଜ୍ଞାନର ପ୍ରତୀକ ହେଉଛନ୍ତି ନୃତ୍ୟରତା ସରସ୍ୱତୀ। ନୈସର୍ଗିକ ଆନନ୍ଦରେ ବୀଣା ବାଦନ କରି ସରସ୍ୱତୀ ନୃତ୍ୟ କରୁଥିବାର ଦୃଶ୍ୟ ଏହି ଚିତ୍ରକଳାରେ ରହିଛି। ଆଜି ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକ ସମୟରେ ମୋଦୀ ଏହି ଉପହାର ଜିନ୍‌ପିଙ୍ଗ୍‌ଙ୍କୁ ପ୍ରଦାନ କରିଛନ୍ତି।

ମତାମତ ଦିଅନ୍ତୁ ।