ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ବହି ପଢ଼ିବାକୁ ଚାପ ପକା‌ଇଲେ ମିଳିବ ଦଣ୍ଡ

ଭୁବ‌ନେଶ୍ବର : ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧିକାର ଯେପରି କ୍ଷୁଣ୍ଣ ନ ହୁଏ, ସେଥିପାଇଁ ଜାତୀୟ ଶିକ୍ଷା ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର)ଙ୍କ ପକ୍ଷରୁ କଡ଼ା ନିୟମ ରହିଛି । ତେବେ ବିଗତ କିଛି ଦିନ ହେଲା ଲଗାତାର ଭାବେ ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ନଜରକୁ ଆସିଛି। ଏନେଇ ସାରା ଦେଶରୁ ଏନ୍‌ସିପିସିଆର ନିକଟରେ ଅନେକ ଅଭିଯୋଗ ଆସିବା ପରେ ନିୟମକୁ କଡ଼ାକଡ଼ି କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧ‌ରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି।

ଏନ୍‌ସିଇଆରଟି ଓ ଏସ୍‌ସିଇଆରଟି ଦ୍ବାରା ପ୍ରକାଶିତ ପୁସ୍ତକ ବଦଳ‌ରେ ଅନ୍ୟ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ିବା ଲାଗି ବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିପାରିବେ ନାହିଁ । ବାରମ୍ବାର ତାଗିଦ୍‌ ସତ୍ତ୍ବେ କିଛି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ଏନ୍‌ସିଇଆରଟି ଓ ଏସ୍‌ସିଇଆରଟି ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ଅବହେଳା କରିପାରିବେ ନାହିଁ କି ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦେଇପାରିବେ ନାହିଁ। ଯଦି କୌଣସି ବିଦ୍ୟାଳୟ ଏଭଳି କରୁଥିବା ଦୃଷ୍ଟିଗୋଚର ହୁଏ କିମ୍ବା ଅଭିଯୋଗ ଆସେ, ତେବେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ-୨୦୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଏ ସମ୍ପର୍କରେ ବିଦ୍ୟାଳୟଗୁଡ଼ିକ ସ୍କୁଲ ୱେବସାଇଟ୍‌ ଓ ନୋଟିସ୍‌ ବୋର୍ଡରେ ଉଲ୍ଲେଖ କରିବେ। ଏଥିସହ ସ୍କୁଲ କର୍ତୃପକ୍ଷ ନୋଟିସ୍‌ର ଏକ ନକଲ ଅଭିଭାବକଙ୍କ ନିକଟକୁ ପଠାଇବେ। ଛାତ୍ରଛାତ୍ରୀ ଯେମିତି ବିଦ୍ୟାଳୟରେ ଅବହେଳାର ଶିକାର ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣ କର୍ତୃପକ୍ଷ(ଓପେସା) ପକ୍ଷରୁ ସମସ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।