ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କଶ୍ମୀର ଓ ରାଧା କ୍ରିଷ୍ଣ ମାଥୁର ଲଦାଖର ଉପରାଜ୍ୟପାଳ ଭାବେ ଶପଥ ନେଲେ

ନୂଆଦିଲି : ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାକ୍ରିଷ୍ଣ ମାଥୁର ଶପଥ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ସମୟରେ ଗିରିଶଙ୍କୁ ମିଶାଇ ୩ ଜଣ ଓଡ଼ିଆ ଏଭଳି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ‌ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ଵଭୂଷଣ ହରିଚନ୍ଦନ ନିଯୁକ୍ତ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ଵର୍ଗତ ଭାଗବତ ମୁର୍ମୁ ଓ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ଗିରିଶ ହେଉଛନ୍ତି ବଡ଼ପୁଅ। ୧୯୫୯ ନଭେମ୍ବର ୨୧ରେ ଜନ୍ମଗ୍ରହଣ କରିଥିବା ଗିରିଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ବାରିପଦା ଓ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ଵ ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୮୫ରେ ‌ଗିରିଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଉପରାଜ୍ୟପାଳ ପୂର୍ବରୁ ଗିରିଶ ଭାରତ ସରକାରଙ୍କର ଅର୍ଥ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟରତ ଥିଲେ।

ଗୁରୁବାର ଶ୍ରୀନଗରର ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଦୁଇ ଉପରାଜ୍ୟପାଳଙ୍କୁ ଶପଥପାଠ କରାଇଥିଲେ। ଏହି ଉତ୍ସବରେ ଲେହ ଓ କାର୍‌ଗିଲର ଅଧିକାରୀମାନେ ଉପସ୍ଥିତ ରହିବା ସହ ବିଭିନ୍ନ ଧାର୍ମିକ ନେତା, ସେନା, ଅର୍ଦ୍ଧସୈନିକ ବଳ ଓ ସାଧାରଣ ଜନତା ଉତ୍ସବରେ ଯୋଗ ଦେଇଥିବା ଦେଖାଯାଇଥିଲା।

ମତାମତ ଦିଅନ୍ତୁ ।