ଜମ୍ମୁ-କଶ୍ମୀରର ବିଭାଜନକୁ ଚୀନ୍‌ କହିଲା ବେଆଇନ୍‌, ଭାରତ ଦେଲା କଡା ଜବାବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଆଜି ଠାରୁ ବିଧିବଦ୍ଧ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି। କିନ୍ତୁ ପଡ଼ୋଶୀ ଦେଶ ଚୀନ୍‌ ଏଥିରେ ସନ୍ତୁଷ୍ଟ ନୁହେଁ। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନ ବେଆଇନ୍‌ ଦର୍ଶାଇ ଏହା ବେଜିଂର ସାର୍ବଭୌମତ୍ଵକୁ ପ୍ରଭାବିତ କରିବ ବୋଲି କହିଛି।

ଏହି ପ୍ରସଙ୍ଗରେ ଭାରତ ଚୀନ୍‌କୁ ଶାଣିତ ଶବ୍ଦ ବ୍ୟବହାର କରି ପ୍ରତ୍ୟୁତ୍ତର ଦେଇଛି। ଆଉ ପରାମର୍ଶ ଦେଇଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡଖେଳାଇବା ବନ୍ଦ କରିବା ଉଚିତ। ଆଜି ସନ୍ଧ୍ୟାରେ ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭୀସ୍‌ କୁମାର ଭାରତ କହିଛନ୍ତି ଲଦାଖ ଓ ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଯେହେତୁ, ଭାରତ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ହସ୍ତକ୍ଷେପ କରେନାହିଁ, ସେଥିପାଇଁ ଭାରତ ମଧ୍ୟ ଚାହେଁ ତା’ର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ହସ୍ତକ୍ଷେପ ନକରନ୍ତୁ। ‘ଆମେ ଆଶା କରୁଛୁ, ଅନ୍ୟ ରାଷ୍ଟ୍ର ଭାରତର ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ପ୍ରଦର୍ଶନ କରିବେ। ଚୀନ୍‌ ଭୁଲିଯିବା ଉଚିତ୍‌ ନୁହେଁ ଯେ ସେ ଲଦାଖ ଓ ଜମ୍ମୁ-କଶ୍ମୀରର ବ୍ୟାପକ ଅଞ୍ଚଳକୁ ବେଆଇନ୍‌ ଓ ବଳପୂର୍ବକ ନିଜ କବ୍‌ଜାରେ ରଖି ଭାରତର କ୍ଷେତ୍ରୀୟ ଅଖଣ୍ଡତା ଉପରେ ପ୍ରଶ୍ନ ଚିହ୍ନ ଲାଗାଇଛି।

ମତାମତ ଦିଅନ୍ତୁ ।