ଜାତୀୟ ଶିକ୍ଷାନୀତି ବିରୋଧରେ ଏଆଇଡିଏସ୍‍ଓର ରାଜ୍ୟସ୍ତରୀୟ ଛାତ୍ର କନ୍‍ଭେନ୍‍ସନ୍‍

ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି-୨୦୨୦ ବିରୋଧରେ ଏ.ଆଇ.ଡି.ଏସ୍‍. ଓଡିଶା ରାଜ୍ୟ ପରିଷଦ ତରଫରୁ ଅନ୍‍ଲାଇନ୍‍ ଛାତ୍ର କନଭେନ୍‍ସନ୍‍ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଗଣତାନ୍ତ୍ରିକ ରୀତିନୀତିକୁ ଜଳାଞ୍ଜଳୀ ଦେଇ କେନ୍ଦ୍ର ସରକାର ଏକତରଫା ଭାବେ ଏହି ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ରେ ପାରିତ କରିଛନ୍ତି। ପ୍ରାଥମିକ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯନ୍ତ ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ କଥା କୁହାଯାଉଛି ବାସ୍ତବରେ ତାହା ଶିକ୍ଷା ବେପାରୀମାନଙ୍କ ସ୍ୱାର୍ଥ ରକ୍ଷା କରିବ।

ଭାଷା ଶିକ୍ଷା କ୍ଷେତ୍ରରେ ଏହି ଶିକ୍ଷାନୀତି ଯେଉଁ ସୁପାରିଶ କରିଛି ତାହା ଇଂରାଜୀର ଗୁରୁତ୍ୱକୁ ହ୍ରାସକରି ଦେଶକୁ ଅନ୍ଧକାର ମଧ୍ୟକୁ ଠେଲିଦେବ। ଧନ୍ଦାମୂଖୀକରଣ ଜରିଆରେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ମଣିଷ ତିଆରି ଓ ଚରିତ୍ର ଗଠନକୁ ସମୂଳେ ଧ୍ୱଂସ କରିବ। ପ୍ରଫେସନାଲ ଶିକ୍ଷା କ୍ଷେତ୍ରରେ ବ୍ୟବସାୟୀକରଣକୁ ପ୍ରଶସ୍ତ କରିବ। ୪ବର୍ଷିଆ ଡିଗ୍ରି କୋର୍ସ, ବହୁ ବିଷୟରେ ପାଠପଢା ଓ ବଡ ଶିକ୍ଷାନୁଷ୍ଠାନର କଥା ହେଉ ଏ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରୁ ବଂଚିତ କରି ଶିକ୍ଷାକୁ ଦେଶୀ ବିଦେଶୀ ପୁଂଜିପତିମାନଙ୍କ ପାଇଁ ଲାଭ ଲୁଟିବାର ପଣ୍ୟରେ ପରିଣତ କରିବ।

ଶିକ୍ଷା ଧ୍ୱଂସକାରୀ ଏହି ନୀତିକୁ ସମସ୍ତ ଦିଗରୁ ବିରୋଧ କରିବା ପାଇଁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ନେତାମାନଙ୍କୁ ନେଇ ଶନିବାର ଏକ କନଭେନସନ ହୋଇଥିଲା। ଏହାକୁ ପରିଚାଳନା କରିଥିଲେ ଏଆଇଡିଏସ୍‍ଓ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସଂପାଦକ ସୁବାସ ନାୟକ। ମୁଖ୍ୟ ଅତୀଥିଭାବେ ଯୋଗ ଦେଇଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର ଡଃ. ବିରେନ୍ଦ୍ର ନାୟକ। ମୁଖ୍ୟବକ୍ତା ଭାବେ ଏ.ଆଇ.ଡି.ଏସ୍‌.ଓ ସର୍ବଭାରତୀୟ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାରଙ୍କ ସମେତ ରାଜ୍ୟ ଉପ ସଭାପତି ସୋମନାଥ ବେହେରା, ସିଦ୍ଧାର୍ଥ ରଥ, ବବି ବଳବନ୍ତରାୟ, ଜୟନ୍ତ ମହାନ୍ତି, ସଂପାଦକ ମଣ୍ଡଳୀ ସଦସ୍ୟ ଭାଗ୍ୟରବି ଦାସ, ହିଂଜିଳକାଟୁ କଲେଜ ଛାତ୍ରନେତା କାମରାଜ ସାହୁ, ପି.ଏନ କଲେଜରୁ ଦେବୀ ନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରନେତା ମନୋଜ ପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ମୁସକାନ ତବସୁମ, ଚଣ୍ଡିଖୋଲ କଲେଜରୁ ଜୋର୍ତିମୟୀ ସାହୁ, ଭଦ୍ରକରୁ ଜିତେନ୍ଦ୍ର ଦାସ, ବାଲେଶ୍ୱରରୁ ଆସମାନ ରାଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଖୁସୀରାମ ସୁନା, ଜିଏମ୍ ରୁ ପମିତା ସାହୁ, କରଂଜିଆରୁ ସତେନ ମହାନ୍ତ, କପ୍ତିପଦାରୁ ଜତୀନ ବାନରା, ଡିଡି କଲେଜରୁ ଗୌର ପାତ୍ର, ରାଉରକେଲାରୁ ତପନ ନାଏକ, ସମ୍ବଲପୁରରୁ କିରଣ ନାଥ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ଶିକ୍ଷାନୀତି-୨୦୨୦ ବିରୁଦ୍ଧରେ ଏ.ଆଇ.ଡି.ଏସ୍‍. ସର୍ବଭାରତୀୟ କମିଟି ତରଫରୁ ଚାଲିଥିବା ଦସ୍ତଖତ ଅଭିଯାନରେ ସଂଗୃହିତ ଲକ୍ଷାଧିକ ଦସ୍ତଖତ ସମ୍ବଳିତ ଦାବୀପତ୍ର ଆସନ୍ତା ୨୩ ତାରିଖ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବା ସହିତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ମତାମତ ଦିଅନ୍ତୁ ।