ଜାଲ୍ ସାର୍ଟିଫିକେଟ୍‌ ଦେଇଥିବା କର୍ମଚାରୀ ବରଖାସ୍ତ ହେବେ

ଭୁବନେଶ୍ୱର: ଓଡ଼ିଶା ସ୍କୁଲ୍‌ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଥରିଟି (ଓସେପା) ଓ ଓଡ଼ିଶା ପ୍ରାଇମେରୀ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଥରିଟି (ଓପେପା) କର୍ମଚାରୀଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବ। ନିଯୁକ୍ତି ସମୟରେ ଯଦି କୌଣସି କର୍ମଚାରୀ ଜାଲ୍‌ ସାର୍ଟିଫିକେଟ୍ ଦେଇଥିବା ଜଣାପଡେ ତେବେ ସେମାନଙ୍କ ନାମରେ ଦିଆଯିବ ଏତାଲା। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ଏହି ମର୍ମରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ବେଳେ ଦୁଇ ମାସ ଭିତରେ ସାର୍ଟିଫିକେଟ୍ ଯାଞ୍ଚ କରି ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ କହିଛନ୍ତି।

ଶ୍ରୀ ପୁନିଆ ଲେଖିଥିବା ଚିଠିରେ ନିଯୁକ୍ତି ସମୟରେ ଡିପିଓ ଏବଂ ବ୍ଲକ୍‌ ସ୍ତରର କର୍ମଚାରୀ (ଓସେପା ଓ ଓପେପା ଅଧୀନସ୍ଥ) ମାନେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ଯଥା- ସାର୍ଟିଫିକେଟ ଓ ମାର୍କସିଟ୍‌କୁ ପୁନଃ ଯାଞ୍ଚ କରିବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀ ଜାଲ୍‌ ପ୍ରମାଣପତ୍ର ଦେଇଥିବେ ତେବେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ସହ ବରଖାସ୍ତ ନିମନ୍ତେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ କୁହାଯାଇଛି। ଆବଶ୍ୟକ ପଡିଲେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍ ବୈଧତା ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଚିଠିରେ ଦର୍ଶଯାଇଛି।

ମତାମତ ଦିଅନ୍ତୁ ।