ଜିଓ ପ୍ଲାଟ୍‌ଫର୍ମ‌ରେ ଇଣ୍ଟେଲର ପୁଞ୍ଜିନିବେଶ

ଭୁବନେଶ୍ୱର: ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି।

ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ। ଜିଓ ପ୍ଲାଟଫର୍ମସ୍‌ରେ ନିକଟରେ ପୁଞ୍ଜିନିବେଶ କରିଥିବା ବିଶ୍ୱର ବିଶିଷ୍ଟ ନିବେଶକମାନଙ୍କ ତାଲିକାରେ ଏବେ ଇଣ୍ଟେଲ୍ ସାମିଲ୍ ହୋଇଛି। ଏହି ନିବେଶକମାନେ ଜିଓ ପ୍ଲାଟଫର୍ମସରେ ମୋଟ ୧,୧୭,୫୮୮.୪୫ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି।

ଏ ନେଇ ମୁକେଶ ଅମ୍ବାନୀ କହିଛନ୍ତି, ଇଣ୍ଟେଲ୍ ହେଉଛି ଶିଳ୍ପ କ୍ଷେତ୍ରର ଏକ ବାସ୍ତବିକ ଅଗ୍ରଣୀ ସଂସ୍ଥା ଓ ଏହା ବିଶ୍ୱ ସ୍ତରରେ ପରିବର୍ତ୍ତନ ସୃଷ୍ଟି କରୁଥିବା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି । ବିଶ୍ୱସ୍ତରରେ ଅଗ୍ରଣୀ ପ୍ରଯୁକ୍ତି କଂପାନିଗୁଡ଼ିକର ଏକ ମୂଲ୍ୟବାନ ସହଯୋଗୀ ହେବାରେ ଇଣ୍ଟେଲ୍ କ୍ୟାପିଟାଲ୍‌ର ଉଲ୍ଲେଖନୀୟ ରେକର୍ଡ ରହିଛି । ନୂତନ ପ୍ରଯୁକ୍ତିରେ ଭାରତର ଦକ୍ଷତାକୁ ବଢ଼ାଇବାରେ ଇଣ୍ଟେଲ୍ ସହିତ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ। ଏହା ଆମ ଅର୍ଥନୀତିର ସବୁ କ୍ଷେତ୍ରକୁ ସଶକ୍ତ କରିବ ଏବଂ ୧୩୦ କୋଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବ ।

ଇଣ୍ଟେଲ୍ କ୍ୟାପିଟାଲ୍‌ର ସଭାପତି ୱେଣ୍ଡେଲ୍ ବ୍ରୁକସ୍‌ କହିଛନ୍ତି ନିଜର ଉଲ୍ଲେଖନୀୟ ଇଞ୍ଜିନିୟରିଂ ଦକ୍ଷତାକୁ ଉପଯୋଗ କରି ଭାରତ ପାଇଁ ସୁଲଭ ମୂଲ୍ୟର ଡିଜିଟାଲ୍ ସେବାର ଶକ୍ତି ଆଣିବା ଉପରେ ଜିଓ ପ୍ଲାଟଫର୍ମ ଗୁରୁତ୍ୱ ଦେଉଛି ଯାହା ଜନଜୀବନକୁ ସମୃଦ୍ଧ କରିବା ଲାଗି ବୈପ୍ଳବିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ ଇଣ୍ଟେଲ୍ ରଖିଥିବା ଲକ୍ଷ୍ୟ ସହ ମେଳ ଖାଉଛି।

ମତାମତ ଦିଅନ୍ତୁ ।