ଜୁଇ ଜଳିବା ପୂର୍ବରୁ ସୀମାଞ୍ଚଳର ଚେତା ଫେରିଲା

ଭୁବନେଶ୍ଵର : ଜୁଇ ଜଳିବା ପୂର୍ବରୁ ଜୀଇଁଲା ଶବ। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତକାଲି ଗାଁର ସୀମାଞ୍ଚଳ ମଲ୍ଲିକ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ତାଙ୍କ ପରିବାର ଓ ଗାଁ ଲୋକେ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। ଆଜି ସକାଳେ ଜଙ୍ଗଲରୁ ଅଚେତ ଅବସ୍ଥାରେ ସୀମାଞ୍ଚଳଙ୍କୁ ପରିବାର ଲୋ଼କେ ଉଦ୍ଧାର କରିଥିଲେ। ସମସ୍ତେ ଭାବି ନେଇଥିଲେ ସେ ମରି ଯାଇଛନ୍ତି। ଏହା ପରେ ଗାଁ ଓ ପରିବାର ଲୋକେ ଶବଦାହ ପାଇଁ ଶ୍ମଶାନକୁ ନେଇଥିଲେ। କିନ୍ତୁ ମୁଖାଅଗ୍ନି ଦିଆଯିବା ପୂର୍ବରୁ ତାଙ୍କ ପାଟିରୁ ପବନ ବାହାରୁ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ଅଟୋ ଯୋଗେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ସୀମାଞ୍ଚଳ କହିଛନ୍ତି ୪ ଦିନ ପୂର୍ବରୁ ଜର ହେଉଥିଲା। ହେଲେ ଶନିବାର ଦିନ କିଛି ଖାଇ ଛେଳି ଚରାଇବାକୁ ଚାଲି ଯାଇଥିଲି। ଛେଳିମାନେ ଚରୁଥିବା ବେଳେ ପ୍ରାୟ ୧୨ଟା ଗୋଟାଏ ବେଳକୁ ମୋତେ ପୁଣି ଜର ଆସିଥିଲା। ଏହାପରେ ମୁଁ ଜଙ୍ଗଲରେ ପଡ଼ି ଯାଇଥିଲି। ମୁଁ ରାତିସାରା ଜଙ୍ଗଲରେ ପଡ଼ି ରହିଥିଲି। ମୋତେ ଜଙ୍ଗଲରୁ ଉଦ୍ଧାର କରିବା ପରେ କୋକେଇରେ ବାନ୍ଧି ଶ୍ମଶାନକୁ ନେଇ ଯାଇଥିଲେ। ମୁଖାଗ୍ନି ଦେବା ପାଇଁ ପୋଷାକ ବାହାର କରିବା ବେଳେ ମୋର ହୋସ୍‌ ଆସିଥିଲା।

ମତାମତ ଦିଅନ୍ତୁ ।