ଝାରସୁଗୁଡା ଉପନିର୍ବାଚନ : ବିଜେଡିରୁ ନାମାଙ୍କନ ଭରିଲେ ଦୀପାଳୀ

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ। ନାମାଙ୍କନ ଦାଖଲ ସମୟରେ ଦୀପାଳିଙ୍କ ସାଙ୍ଗରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।
ମଙ୍ଗଳବାର ମନମୋହନ ସ୍କୁଲ ପଡିଆରୁ ବିଜେଡ଼ିର ବାହାରିଥିଲା ବିଶାଳ ଶୋଭାଯାତ୍ରା। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଯାଇ ଦୀପାଳୀ ଦାସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନାମାଙ୍କନ ପୂର୍ବରୁ ସରବାହାଲ ସ୍ଥିତ ବାସଭବନରୁ ବାହାରି ସୁନାରୀମୁଣ୍ଡାର ଇଷ୍ଟଦେବୀ ମା’ ପାଟଣେଶ୍ଵରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ।
ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାଏକ, ବିଧାୟକ ପ୍ରତାପ ଜେନା, ଅଳକା ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ। ଏଥିସହ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସମେତ ବ୍ରଜରାଜନଗର, ରେଙ୍ଗାଲି, ସୁନ୍ଦରଗଡ଼, କୁଚିଣ୍ଡା ଓ ସମ୍ବଲପୁର ଆଦି ଆଖପାଖ ନିର୍ବାଚନ ମଣ୍ଡଳୀରୁ ବହୁ ଦଳୀୟ ନେତା ଓ କର୍ମୀ ମଧ୍ୟ ଯୋଗଦେଇଥିଲେ।
ନାମାଙ୍କନ ପୂର୍ବରୁ ଦୀପାଳୀ କହିଥିଲେ ମା’ ପାଟଣେଶ୍ଵରୀଙ୍କ ଠାରୁ ସାହସ ମାଗିଛି। ବାପାଙ୍କ ଆଦର୍ଶରେ ଝାରସୁଗୁଡ଼ାର ବିକାଶ କରିବି ଓ ମୁଖ୍ୟମନ୍ତ୍ରୀଙ୍କ କଥା ରଖିବି। ଆଉ ମହିଳାଙ୍କ ବିକାଶ ଦିଗରେ କାମ କରିବି।