ଟାଟା ଷ୍ଟିଲର କମର୍ଦା ଓ ସରୁଆବିଲ କ୍ରୋମାଇଟ ମାଇନ୍ସ ଖଣି ଲିଜ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ

ଭୁବନେଶ୍ୱର : ପୂର୍ବରୁ ଟିଏସ୍ ଆଲଏଜ୍ ଲିମିଟେଡ୍ ଭାବେ ପରିଚିତ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ସଫଳତାର ସହିତ ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଖଣି ଲିଜ ଯଥା କମର୍ଦା କ୍ରୋମାଇଟ ମାଇନ ଓ ସରୁଆବିଲ କ୍ରୋମାଇଟ ମାଇନର ଖଣି ଲିଜ କାର୍ଯ୍ୟକାରିତା ପ୍ରକ୍ରିୟାକୁ ୨୦୨୦ ଜୁନ୍ ୨୬ରେ ଶେଷ କରାଯାଇଛି। ଯାଜପୁର ଠାରେ ଏନେଇ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଆଇଏଏସ, ରଞ୍ଜନ କୁମାର ଦାସ ଓ ଟାଟା ଷ୍ଟିଲ ମାଇନିଂ ଲିମିଟେଡର ପରିଚାଳନା ନିର୍ଦେଶକ ଏମ ସି ଥୋମାସ ଆନୁଷ୍ଠାନିକ ଭାବେ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି ।
ଏହି ଖଣିଗୁଡ଼ିକୁ ଓଡ଼ିଶା ସରକାର ନିଲାମ କରିଛନ୍ତି ଓ ୫୦ ବର୍ଷ ପାଇଁ ଖଣି ଲିଜ ଦିଆଯାଇଛି। ୨୦୨୦ ମାର୍ଚ୍ଚ ୩୧ରେ ବାଣିଜ୍ୟିକ ଲିଜ ଅବଧି ଶେଷ ହୋଇଥିଲା ଓ ନିଲାମ ହୋଇଥିବା ଖଣି ମଧ୍ୟରୁ ଅନ୍ୟତମ ଏହି ଖଣିଗୁଡ଼ିକ ହେଊଛି ସାରା ଦେଶରେ ପ୍ରଥମ ଯାହା ଖଣି ଲିଜରେ ରୂପାନ୍ତରିତ ହୋଇଛି ।

ନିଲାମରେ ସର୍ବୋଚ୍ଚ ବିଡ ଦାଖଲକାରୀ ସଂସ୍ଥା ଭାବେ ଉଭା ହେବା ପରେ ଓଡ଼ିଶା ସରକାରଙ୍କ ତରଫରୁ ୨୦୨୦ ମେ’ ମାସରେ କଂପାନିକୁ ଭେଷ୍ଟିଂ ଅର୍ଡର ଦିଆଯାଇଥିଲା । ଟିଏସଏମ୍‌ଏଲ୍ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଯଥା ଅପ୍‌ଫ୍ରଂଟ୍ ପେମେଂଟ୍‌ସ୍‌, ଖଣି ବିକାଶ ଓ ଉତ୍ପାଦନ ବୁଝାମଣା (ଏମ୍‌ଡିପିଏ) କାର୍ଯ୍ୟକାରୀ କରାଯିବା ସହ ସମସ୍ତ ଅନ୍ୟାନ୍ୟ ଯୋଗ୍ୟାତର ମାନଦଣ୍ଡକୁ ପାଳନ କରାଯାଇଛି । ଓଡ଼ିଶା ସରକାର ନିଜ ତରଫରୁ ଦୁଇ ବର୍ଷ ପାଇଁ ସମସ୍ତ ପ୍ରକାର ଅନୁମୋଦନ ସହିତ ଭେଷ୍ଟିଂ ଅର୍ଡର ଦେଇଥିବା ବେଳେ ଲିଜ୍‌କୁ କାର୍ଯ୍ୟକାରୀ କରିବା ଲାଗି ଆନୁଷ୍ଠାନିକ ଭାବେ ମଂଜୁରି ନିର୍ଦେଶ ସୂଚନା ଦେବା ପୂର୍ବରୁ କଂପାନିକୁ ସଫଳ ବିଡର୍ ଭାବେ ଘୋଷଣା କରାଯାଇଥିଲା ।

ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦେଶକ ଏମ୍ ସି ଥୋମାସ୍ କହିଛନ୍ତି ଏଲ୍‌ଓଆଇ ତାରିଖର ୩୦ ଦିନରୁ କମ୍ ସମୟ ଭିତରେ ଏହି ସବୁ ମଂଜୁରି ପ୍ରକ୍ରିୟାକରଣ ପାଇଁ ଉଲ୍ଲେଖନୀୟ ସହାୟତା ଦେଇଥିବାରୁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛୁ । ଇସ୍ପାତ ଓ ଖଣି ବିଭାଗର ନେତୃତ୍ୱରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଏଜେନ୍ସି, ଯାଜପୁର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସମନ୍ୱିତ କାର୍ଯ୍ୟ ଯୋଗୁଁ ଏହି ଅଭାବନୀୟ ସମୟରେ ମଧ୍ୟ ଏହି କାର୍ଯ୍ୟ ସମ୍ଭବ ହୋଇଛି । ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଭାବେ ଆମେ ବିଚାର କରୁଛୁ।

ମତାମତ ଦିଅନ୍ତୁ ।