ଟ୍ରାନ୍ସଜେଣ୍ଡର ଭିକ ମାଗିବା ଅପରାଧ ନୁହେଁ

ନୂଆଦିଲ୍ଲୀ : ଟ୍ରାନ୍ସଜେଣ୍ଡର୍ସରଙ୍କ ଦ୍ଵାରା ଭିକ ମାଗିବା ଏବେ ଆଉ ଅପରାଧ ବିବେଚିତ ହେବ ନାହିଁ । ଟ୍ରାନ୍ସଜେଣ୍ଡର୍ସ ପରସନ(ପ୍ରୋଟେକ୍ସନ ଅଫ ରାଇଟ୍ସ) ବିଧେୟକ, ୨୦୧୯ର ବିବାଦୀୟ ପ୍ରାବଧାନକୁ ହଟାଇ ଦିଆଯାଇଛି। ଏହି ବିଧେୟକକୁ କେନ୍ଦ୍ରୀୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏବେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ।

ବିଧେୟକ ସେହି ପ୍ରାବଧାନକୁ ମଧ୍ୟ ହଟାଇ ଦେଇଛି, ଯେଉଁ ଆଧାରରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ନିଜର ସମୁଦାୟର ହେବାର ମାନ୍ୟତା ପାଇବା ପାଇଁ ଜିଲ୍ଲା ସ୍କ୍ରିନିଂ କମିଟି ସମ୍ମୁଖରେ ହାଜର ହେବା ବାଧ୍ୟତାମୂଳକ ଥିଲା । ପୂର୍ବରୁ ଥିବା ବିଧେୟକର ଅଧ୍ୟାୟ ୮ର ପ୍ରାବଧାନ ୧୯ରେ କୁହାଯାଇଥିଲା ଯେ, ସରକାର ଦ୍ଵାରା ନିର୍ଦ୍ଧାରିତ ବାଧ୍ୟତାମୂଳକ ସେବା ଅତିରିକ୍ତ ଟ୍ରାନ୍ସଜେଣ୍ଡରଙ୍କୁ ଭିକ ମାଗିବା କିମ୍ବା ବଳପୂର୍ବକ କୌଣସି କାମ କରିବା ପାଇଁ ବିବଶ କରାଇବା ମାମଲାରେ ଅତି କମରେ ଛଅ ମାସ ଜେଲ ସଜା ମିଳିପାରେ। ଏହି ସଜା ଦୁଇ ବର୍ଷ ପର୍ଯ୍ୟନ୍ତ ବଢିପାରେ ଏବଂ ଜୋରିମାନା ମଧ୍ୟ ଲଗାଯାଇପାରେ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ବିଧେୟକରୁ ଭିକ ମାଗିବା ଶବ୍ଦକୁ ହଟାଇ ଦିଆଯାଇଛି। ଅର୍ଥାତ ଏବେ ଟ୍ରାନ୍ସଜେଣ୍ଡର ଭିକ ମାଗିବା କୌଣସି ଅପରାଧ ନୁହେଁ। ଏହା ପୂର୍ବରୁ ଟ୍ରାନ୍ସଜେଣ୍ଡର ସମୁଦାୟ ଏହି ପ୍ରାବଧାନ ଉପରେ ଆପତ୍ତି ଉଠାଇ କହିଥିଲେ ଯେ,  ସରକାର ସେମାନଙ୍କ ଭୋରଣପୋଷଣର କୌଣସି ବିକଳ୍ପ ନଦେଇ ସେମାନଙ୍କୁ ଭିକ ମାଗିବାକୁ ରୋକୁଛନ୍ତି। 

ମତାମତ ଦିଅନ୍ତୁ ।