ଦକ୍ଷିଣ ଚୀନ୍ ସାଗରକୁ ବିମାନବାହୀ ଯୁଦ୍ଧପୋତ ପଠାଇଲା ଆମେରିକା

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଉତ୍ତେଜନା ଅଚାନକ ବଢ଼ିଯାଇଛି। ଏହି ଅଞ୍ଚଳରେ ଏକଚାଟିଆ କାରବାର ବନ୍ଦ କରିବା ପାଇଁ ଚୀନ୍କୁ ଚେତାବନୀ ଦେଇ ଆସୁଥିବା ଆମେରିକା ଆଜି ଦକ୍ଷିଣ ଚୀନ୍ ସାଗରକୁ ଦୁଇଟି ବିମାନବାହୀ ଯୁଦ୍ଧପୋତ ପଠାଇଛି। ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳରେ ବହୁ ସଂଖ୍ୟକ ବୋମାବର୍ଷୀ ବିମାନ ମଧ୍ୟ ତୁହାକୁ ତୁହା ଉଡ଼ାଣ ଭରୁଥିବା ଦେଖିବାକୁ ମିଳିଛି।
ୟୁଏସ୍ଏସ୍ ରେଗାନ୍ ଏବଂ ୟୁଏସ୍ଏସ୍ ନିମିଜ ନାମକ ଏହି ଯୁଦ୍ଧପୋତ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ପହଞ୍ଚିଯାଇଥିବା ଜଣାପଡ଼ିଛି। ଆମେରିକାର ଏଭଳି ପଦକ୍ଷେପର ମୁକାବିଲା ପାଇଁ ଚୀନ୍ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଚୀନ୍ର ନୌସେନା ଏହି ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରୁଛି। ବିବାଦୀୟ ଅଞ୍ଚଳରେ ସମରାଭ୍ୟାସ ନ କରିବା ପାଇଁ ମଧ୍ୟ ଆମେରିକା ଚୀନ୍କୁ ଚେତାବନୀ ଦେଇଛି।
ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ପାର୍ସେଲ ଦ୍ବୀପରେ ଚୀନ୍ ସେନା ଗତ ୧ ତାରିଖରୁ ଯୁଦ୍ଧ ଅଭ୍ୟାସ କରୁଛି। ଏହି ଦ୍ବୀପ ଉପରେ ଭିଏତନାମ ନିଜ ମାଲିକାନା ଦାବି କରିଆସୁଛି। ଚୀନ୍ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଧମକାଇ ସେମାନଙ୍କ ଅଞ୍ଚଳକୁ କବ୍ଜା କରିବାକୁ ପ୍ରୟାସ କରୁଛି ଏବଂ ଏହାକୁ ଅନ୍ତର୍ଜାତୀୟ ସମୁଦାୟ ବରଦାସ୍ତ କରିବେ ନାହିଁ ବୋଲି ଆମେରିକା ଚେତାଇ ଦେଇଛି।
ଦକ୍ଷିଣ ଚୀନ୍ ସାଗରର ୯୦ ପ୍ରତିଶତ ଅଞ୍ଚଳ ଏବେ ବିବାଦୀୟ ହୋଇପଡ଼ିଛି। ଏହି ଅଞ୍ଚଳରେ ଥିବା ପ୍ରାକୃତିକ ସଂପଦ ଉପରେ ଚୀନ୍ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରର କିଛି ଅଧିକାର ନାହିଁ ବୋଲି ଚୀନ୍ କହିଛି। ଅନ୍ୟପକ୍ଷରେ ଦକ୍ଷିଣ ଚୀନ୍ ସାଗରର ଅନେକ ଅଞ୍ଚଳକୁ ମାଲେସିଆ, ଫିଲିପାଇନ୍ସ, ତାଇୱାନ, ଭିଏତନାମ ଆଦି ରାଷ୍ଟ୍ର ନିଜର ବୋଲି ଦାବି କରିଛନ୍ତି। ଏହି ବିବାଦ ନେଇ ଅନ୍ତର୍ଜାତୀୟ ନ୍ୟୟ ଅଦାଲତର ରାୟକୁ ଚୀନ୍ ପ୍ରତ୍ୟାଖ୍ୟାନ କରିସାରିଛି।