ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଯାଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ପାଟପଟୁଆରରେ ଆସି ବିଜେ ହୋଇଥିଲା ଆଜ୍ଞାମାଳ। ଏହାପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତା’ପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି।

ଗତକାଲି ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ଅନୁସାରେ ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ଆଜ୍ଞାନୁଯାୟୀ ମୋହିନୀ ଚୂଣ୍ଣ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ମା’ ମହାଲକ୍ଷ୍ମୀ। ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ ମହାଲକ୍ଷ୍ମୀଙ୍କ ବନ୍ଦାପନା କରିଥିଲେ ସେବାୟତ। ଏହାପରେ ରଥ ଭାଙ୍ଗିବା ନୀତି ସମ୍ପୂର୍ଣ୍ଣ ହୋଇଥିଲା। ଏହି ନୀତି ସମ୍ପୂର୍ଣ୍ଣ ହେଲାପରେ ମା’ ମହାଲକ୍ଷ୍ମୀ ବଡ଼ଦାଣ୍ଡରେ ନଫେରି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ।

ସେହିପରି ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଜାରି ହୋଇଛି କର୍ଫ୍ୟୁ । ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ପୁରୀରେ କଡା କଟକଣା ଲାଗୁ ହେବ । ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ । ବଡଦାଣ୍ଡରେ ଥିବା ସବୁ ଘର ଓ ଧର୍ମସ୍ଥଳକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବ । ପରିବାର ସଦସ୍ୟଙ୍କ ବ୍ୟତୀତ ଘରେ ଅନ୍ୟ କେହିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି । ଦୋକାନ ବଜାର ବନ୍ଦ ରହିବ । ବିନା ଜରୁରୀ କାମରେ ପୁରୀ ବାସିନ୍ଦାଙ୍କୁ ବଡଦାଣ୍ଡକୁ ବାହାରିବାକୁ ମନା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ସ୍ୱାସ୍ଥ୍ୟ ସେବା ଓ ଜରୁରୀ ସେବା ଜାରି ରହିବ । ରଥଯାତ୍ରା ଭଳି ବାହୁଡା ଯାତ୍ରା ପାଇଁ ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ।

ମତାମତ ଦିଅନ୍ତୁ ।