ଦରକାର ହେଲେ ପରମାଣୁ ବୋମା ବ୍ୟବହାର କରିବୁ : ରାଜନାଥ ସିଂ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ବିବ୍ରତ ହୋଇ ପଡିଛି । ଏପରିକି ଭାରତ ସରକାରଙ୍କ ଆଭ୍ୟନ୍ତରୀଣ ନିଷ୍ପତି ବିରୋଧରେ ଅନ୍ୟ ଦେଶ ନିକଟକୁ ସମର୍ଥନ ପାଇଁ ଯାଉଛି । ପାକକୁ ଏହି ପ୍ରସଙ୍ଗରେ ସଫଳତା ମିଳୁ ନଥିଲେ ମଧ୍ୟ ସେଠାକାର ପ୍ରଧାନମନ୍ତ୍ରୀ ଇମରାନ ଖାନ ଅନେକ ସମୟରେ ଭାରତକୁ ଯୁଦ୍ଧ ହେବାର ଫାଙ୍କା ଧମକ ଦେଉଛନ୍ତି । ଆହୁରି ମଧ୍ୟ ପାକିସ୍ତାନୀ ସେନା ସୀମାରେ ଅସ୍ତ୍ରବିରତି ଉଲଂଘନ କରୁଛି ।

ଏହି ପ୍ରସଙ୍ଗ ଏତେ ମାତ୍ରାରେ ଜଟିଳ ହୋଇ ଉଠିଛି ଯେ ପାକ୍ ଉଭୟ ଦେଶ ମଧ୍ୟରେ ଥିବା ରେଳ ସେବା, ବସ ସେବା ଓ ବ୍ୟବସାୟିକ ସଂପର୍କକୁ ଛିନ୍ନ କରିଛି । ଏପରିକି ଭାରତୀୟ ଚଳଚିତ୍ର, ବିଜ୍ଞାପନକୁ ସେଠାରେ ବ୍ୟାନ କରାଯାଇଛି । ଏହି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପରମାଣୁ ବୋମାକୁ ନେଇ ବୟାନ ସାମ୍ନାକୁ ଆସିଛି

ପୋଖରାନରେ ରାଜନାଥ କହିଛନ୍ତି, ଭାରତର ପୂର୍ବରୁ ପରମାଣୁ ବୋମା ବ୍ୟବହାର ନ କରିବା ନେଇ ନୀତି ରହିଥିଲା । ଯାହାକୁ ଆବଶ୍ୟକ ପଡିଲେ ବଦଳାଇ ଦିଆଯାଇପାରେ । ଆମେ ପ୍ରଥମେ ପରମାଣୁ ବୋମ ବ୍ୟବହାର କରୁ ନଥିଲୁ । କିନ୍ତୁ ଭବିଷ୍ୟତରେ କଣ ହେବ କିଛି କହି ହେବ ନାହିଁ । ଏହି ନୀତିରେ ପରିବର୍ତନ ହେବା କିଛି ଅସମ୍ଭବ ନୁହେଁ । ଏହା କେବଳ ପରିସ୍ଥିତି ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।

ମତାମତ ଦିଅନ୍ତୁ ।