ଦଲାଲ୍ ଙ୍କ ବିରୋଧରେ ଏତଲା ଦେବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ମଧସ୍ଥ ଓ ଦଲାଲମୁକ୍ତ ହେବ। ରାଜ୍ୟ ପରିବହନ କମିସନର ସଂଜୀବ ପଣ୍ଡା ଆଜି ଏହି ମର୍ମରେ ରାଜ୍ୟର ସବୁ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ଆରଟିଓ ଅଫିସକୁ ଦଲାଲ ପଶିଲେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି।

ପରିବହନ କମିସନର ଲେଖିଥିବା ଚିଠିରେ ଆରଟିଓ ଅଫିସ୍‌ରେ କିଓସ୍କ ମେସିନ୍‌ ଓ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। କୁହାଯାଇଛି ଆରଟିଓ ଚାହିଁଲେ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ଜନସେବାରେ ଲଗାଇ ପାରିବେ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲପ ଲାଇନ ନମ୍ବର ଜାରି କରାଯାଇଛି। ହେଲପ୍‌ ଡେସ୍କ ନମ୍ବର-୧୮୦୦ ୩୪୫ ୧୦୭୩ରେ ଅଭିଯୋଗ ଗ୍ରହଣ କରାଯିବ। ଆରଟିଓ ଅଫିସ୍‌ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍‌ ବା ଘର ଉଚ୍ଛେଦ ସହିତ କର୍ମଚାରୀଙ୍କ ପାଇଁ ବିଭିନ୍ନ ରଙ୍ଗର ପରିଚୟ ପତ୍ର କରିବାକୁ ନିର୍ଦେଶ ଦିଆଯାଇଛି।

ସରକାରୀ କର୍ମଚାରୀ ନୀଳ ଫିତା ବିଶିଷ୍ଟ ପରିଚୟ ପତ୍ର, ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କ ସବୁଜ ଫିତାର ପରିଚୟ ପତ୍ର ଓ ସ୍ମାର୍ଟ ଚିପ୍‌ କମ୍ପାନି କର୍ମଚାରୀ ହଳଦିଆ ଫିତାର ପରିଚୟ ପତ୍ର ପିନ୍ଧିବେ ବୋଲି ନିଷ୍ପତ୍ତି ହୋଇଛି।  ଏହାଛଡା ଆରଟିଓ ଅଫିସ୍‌ରେ ମିଳୁଥିବା ସେବା ଓ ଦେୟର ତାଲିକା ପ୍ରଦର୍ଶନ କରିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ।

ମତାମତ ଦିଅନ୍ତୁ ।