ଦୁଷ୍କର୍ମ ପରେ ୨୦ଜଣ ମହିଳାଙ୍କୁ ହତ୍ୟା, ଅପରାଧୀକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ବିଚିତ୍ର ମାନସିକତା। ୨୦ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ସାୟାନାଇଡ୍‌ ହତ୍ୟା କରିଥିଲା ଅପରାଧୀ। ଏଥିପାଇଁ ଅଭିଯୁକ୍ତ ମୋହନକୁ ମିଳିଛି ଆଜୀବନ କାରାଦଣ୍ଡ। ଏହି ରାୟ ଶୁଣାଇଛନ୍ତି ମାଙ୍ଗାଲୁରୁ ଅଦାଲତ। ଏଥିସହ ୧୮,୦୦୦ ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି କୋର୍ଟ।

ଅଭିଯୁକ୍ତ ମୋହନ ବନ୍ତଓ୍ଵାଲରେ ରହୁଥିବା ୩୧ବର୍ଷୀୟା ପୀଡ଼ିତାଙ୍କୁ ପୁଟ୍ଟୁରର ବସ୍‌ ଷ୍ଟାଣ୍ଡରେ ପ୍ରଥମେ ଦେଖିଥିଲେ। ପୀଡ଼ିତା ଜାତି ବିଷୟରେ ଜାଣିବା ପରେ ନିଜର ଜାତି ବଦଳାଇ ନାଁ ସୁଧାକର ଗୌଡ଼ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ପ୍ରେମ ଜାଲରେ ଫସାଇ ଅପ୍ରେଲ ୨୦୦୯ରେ ପୀଡ଼ିତାଙ୍କୁ ଘର ଛାଡ଼ି ଆସିବାକୁ କହିଥିଲେ। ପ୍ରେମରେ ଅନ୍ଧ ହୋଇ ପୀଡ଼ିତା ଚାକିରି ଛାଡ଼ି ଘରର ସୁନା ଗହଣା ଓ ଫୋନ ନେଇ ମୋହନ ପାଖରେ ପହଞ୍ଚିଥିଲେ। ଦୁହେଁ ମହୀଶୂର  ଯାଇ ଏକ ରୁମ୍‌ ଭଡ଼ାରେ ନେଇଥିଲେ। ସେଠାରେ ମୋହନ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ପରଦିନ ଇଣ୍ଟରଭିଉ ଦେବାକୁ ଯିବା କଥା କହିଥିଲେ। ଇଣ୍ଟରଭିଉ ପାଇଁ ଗରିବ ଭଳି ଦେଖାଯିବା ଦରକାର ବୋଲି କହି ସୁନା ଓ ଫୋନ ରୁମ୍‌ରେ ରଖିବା ପାଇଁ ପୀଡ଼ିତାଙ୍କୁ କହିଥିଲେ ମୋହନ। ମହୀଶୂର ବସ୍‌ ଷ୍ଟାଣ୍ଡରେ ପହଞ୍ଚିବା ପରେ ମୋହନ ପୀଡ଼ିତାଙ୍କୁ ଗର୍ଭ ନିରୋଧକ ବଟିକା ବୋଲି କହି ସାୟାନାଇଡ୍‌ ବଟିକା ଦେଇଥିଲେ। ପୀଡ଼ିତା ଶୌଚାଳୟକୁ ଯାଇ ସାଏନାଇଡ୍‌ ବଟିକା ଖାଇ ମୃତ୍ୟୁବରଣ କରିଥିଲେ। ରୁମ୍‌କୁ ଯାଇ ସୁନାଗହଣା ନେଇଥିଲା ମୋହନ। ଆଉ ପୀଡ଼ିତାଙ୍କ ଘରକୁ କରିଥିଲା ଫୋନ। ତାଙ୍କୁ ନ ଖୋଜିବାକୁ କହିବାରୁ ପରିବାର ଲୋକେ କୌଣସି ଅଭିଯୋଗ କରି ନଥିଲେ। ପରେ ମୋହନ ପୀଡ଼ିତାଙ୍କ ଫୋନ ବ୍ୟବହାର କରି ଅନ୍ୟ ୩ଜଣ ମହିଳାଙ୍କୁ ଫସାଇ ସାୟାନାଇଡ୍‌ ଦେଇ ହତ୍ୟା କରିଥିଲା।ଶୌଚାଳୟର ସଫେଇକର୍ମୀ ପୀଡ଼ିତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେବାରୁ ପୋଲିସ ତଦନ୍ତ କରି ଅକ୍ଟୋବର ୨୬ରେ ଅଭିଯୁକ୍ତକୁ ଗିରଫ କରିଥିଲା। ତା’ପରେ ଅପରାଧର ହୋଇଥିଲା ଖୁଲାସା।

ମତାମତ ଦିଅନ୍ତୁ ।