ନୂଆ କୃଷି ନୀତିରେ କୃଷି ଓ କୃଷକଙ୍କ ବିକାଶକୁ ଗୁରୁତ୍ଵ ଦେବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ନୂଆ କୃଷିନୀତି ଆଣିବାକୁ ଯାଉଥିବା ବେଳେ ଚିଠା କୃଷିନୀତି-୨୦୧୯ର ପ୍ରକାଶ ପାଇଛି। ଫୋକସରେ ଅଛି କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ।

ରାଜ୍ୟ ସରକାର ନୂଆ କୃଷିନୀତି ଚିଠା ପ୍ରସ୍ତାବରେ ଚାଷୀଙ୍କ ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। କାଳିଆ ଯୋଜନାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ସହୟତା ନେଇଥିବା ଚାଷୀଙ୍କ ସଂପର୍କରେ ଅନୁଧ୍ୟାନ, ଚାଷୀ ଲାଭବାନ ହୋଇଛନ୍ତି କି ନାହିଁ, ଚାଷୀଙ୍କ ଜୀବିକା ଅର୍ଜନରେ ସଫଳତା ମିଳିଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ଯେଉଁ ଚାଷୀ କାଳିଆ ଯୋଜନା ଦ୍ୱାରା ଜୀବିକା ଅର୍ଜନରେ ସଫଳ ହୋଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ମହିଳା ଚାଷୀଙ୍କୁ ମଧ୍ୟ ପ୍ରସ୍ତାବିତ କୃଷି ନୀତିରେ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟରେ ଶ୍ରମିକଙ୍କ ମଧ୍ୟରୁ ୪୮ପ୍ରତିଶତ ମହିଳା ଶ୍ରମିକ ଥିବାରୁ ସେମାନଙ୍କ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ରାଜ୍ୟରେ ୫ ଲକ୍ଷ ଭୂମିହୀନ ମହିଳା ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଶ୍ରେଣୀରେ ଗ୍ରହଣ କରାଯାଇ ଉତ୍‌ଥାନ ପାଇଁ ପଦକ୍ଷେପ ନିଆଯିବ। ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶ ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା କରାଯିବାକୁ କୃଷି ନୀତିରେ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳା ଚାଷୀଙ୍କୁ ତାଲିମ ଦେଇ କୃଷିର ବିକାଶ କ୍ଷେତ୍ରରେ ନିୟୋଜନ କରିବାକୁ ପ୍ରସ୍ତାବ ସହ ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବ ଏବଂ ସେମାନଙ୍କୁ ସୁହାଇବା ଭଳି ଯନ୍ତ୍ରପାତି ବିକାଶ କରିବାକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି।

ମତାମତ ଦିଅନ୍ତୁ ।