ପର୍ଯ୍ୟଟକଙ୍କ ପାଇଁ ରାତିରେ ଖୋଲା ରହିବ ତାଜମହଲ ଓ ରାଜରାଣୀ ମନ୍ଦିର

ନୂଆଦିଲ୍ଲୀ: ତାଜମହଲ ଓ ଓଡିଶାର ରାଜରାଣୀ ମନ୍ଦିର ରାତିରେ ପର୍ଯ୍ୟଟକଙ୍କ ଖୋଲା ରହିବ। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାତିରେ ଏହି ସ୍ମାରକୀକୁ ଖୋଲା ରଖିବାକୁ ଅନେକେ ଅନୁରୋଧ କରିଥିବାରୁ ଆମେ ଏହାକୁ ବାସ୍ତବ ରୂପ ଦେବାକୁ ଯାଉଛୁ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ରାତ୍ରୀକାଳୀନ ଜନଗହଳିକୁ ମୁକାବିଲା କରିବାକୁ ପର୍ଯ୍ୟଟନ ମନ୍ତ୍ରାଳୟ ଏହି ସ୍ମାରକୀ ଚତୁଃର୍ପାଶ୍ୱରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସହିତ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଇବାକୁ ଯୋଜନା କରୁଛନ୍ତି। ଏବେ ମାସକୁ ମାତ୍ର ପାଞ୍ଚ ଦିନ ରାତ୍ରୀରେ ତାଜମହଲ ଦେଖିବାକୁ ସୁଯୋଗ ମିଳୁଛି। ପୂର୍ଣ୍ଣମୀର ପୂର୍ବ ଓ ପର ଦୁଇ ଦିନ ତାଜମହଲ ରାତ୍ରୀରେ ଖୋଲା ରହୁଛି। ମାତ୍ର ୪୦୦ ପର୍ଯ୍ୟଟକଙ୍କୁ ରାତ୍ରୀରେ ତାଜମହଲ ଦର୍ଶନ ପାଇଁ ଛଡ଼ା ଯାଉଥିବା ବେଳେ ପ୍ରାପ୍ତ ବୟସ୍କଙ୍କ ଲାଗି ମୁଣ୍ଡପିଛା ଦେୟ ଟ. ୫୧୦/- ପଡୁଥିବା ବେଳେ ପ୍ରତି ପିଲା ପିଛା ଦେୟ ରହିଛି ୫୦୦/- ଟଙ୍କା। ବିଦେଶୀ ନାଗରିକମାନଙ୍କୁ ଟ ୭୫୦/- ଦେବାକୁ ପଡୁଛି।

ସେ କହିଛନ୍ତି ଭାରତରେ ଥିବା ଜନପ୍ରିୟ ସ୍ମାରକୀଗୁଡ଼ିକ ମଧ୍ୟରୁ ୧୦ଟି ସ୍ମାରକୀକୁ ସୂର୍ଯ୍ୟୋଦୟରୁ ରାତି ୯ଟା ଯାଏଁ ଖୋଲା ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ସ୍ମାରକୀ ଗୁଡ଼ିକ ହେଉଛି ଓଡ଼ିଶାର ରାଜରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶ ଖଜୁରାହୋର ଦୁହ୍ଲାଦେଓ, ହରିୟାଣାର ଶେଖ୍‌ ଚିଲି ସମାଧି, ଦିଲ୍ଲୀର ସଫଦରଗଞ୍ଜ ସମାଧି, ହୁମାୟୁନ ସାମଧି, କର୍ଣ୍ଣାଟକର ପଟ୍ଟାଡାକଲ ଏବଂ ଗୋଲ୍‌ ଗମ୍ବୁଜ ନିକଟରେ ଥିବା ସ୍ମାରକୀ ସମୂହ, ମହାରାଷ୍ଟ୍ର ଚାମସୁରି ଅଞ୍ଚଳର ମାର୍କଣ୍ଡସ୍ଥିତ ମନ୍ଦିର ସମୂହ, ଉତ୍ତର ପ୍ରଦେଶର ବୈଦଶାଳାରେ ଥିବା ମାନ ମହଲ ଏବଂ ଗୁଜରାଟର ରାଣୀ କି ବାବ୍‌।

ମତାମତ ଦିଅନ୍ତୁ ।