ପାଟକୁରା ସ୍ଥିତି ଅସ୍ପଷ୍ଟ, ଦଳୀୟ ନେତାଙ୍କ ଭୂମିକା ନିର୍ଦ୍ଧାରଣ କରିବ ପ୍ରାର୍ଥୀଙ୍କ ବିଜୟ

ଭୁବନେଶ୍ଵର : କିଏ ଜିତିବ ପାଟକୁରା ବାଜି ? କେଉଁ ଦଳ ସପକ୍ଷରେ ଯିବ ଜନମତ ? ଏଯାଏ ଚିତ୍ର ସ୍ପଷ୍ଟ ହେଉନି । ପ୍ରଚାରରେ କଂଗ୍ରେସ ପଛରେ ଥିବାରୁ ଚର୍ଚ୍ଚା ହେଉଛି ବିଜେଡ଼ି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ । କିନ୍ତୁ ରାଜନୈତିକ ମହଲରେ ଆଲୋଚନା ହେଉଛି ଦଳୀୟ ନେତାଙ୍କ ଭୂମିକା ନିର୍ଦ୍ଧାରଣ କରିବ ଏଠାରେ ପ୍ରାର୍ଥୀଙ୍କ ବିଜୟ ।


ପାଟକୁରାରେ ଆଜି ସନ୍ଧ୍ୟାରେ ପ୍ରଚାର ସରିଛି । ଗୋଟିଏ ଦିନ ପରେ ଭୋଟ ଗ୍ରହଣ । ବିଭିନ୍ନ ଅଞ୍ଚଳରେ ଡେରା ପକାଇଥିବା ନେତାମାନେ ନିର୍ବାଚନ ମଣ୍ଡଳୀ ଛାଡିଛନ୍ତି । ଏଣିକି କେବଳ ଚାଲିବ ଅନ୍ଧାରି ବିଜେ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନାନାଦି କଳକୌଶଳ ପ୍ରୟୋଗ କରାଯିବ । ଏହା କେତେ ଫଳପ୍ରଦ ହୋଇଛି ଭୋଟ ଗଣତି ପରେ ଜଣାପଡିବ ।


ଦୁଇଥର ନିର୍ବାଚନ ଘୁଞ୍ଚିବା ପରେ ଆସନ୍ତା ୨୦ ତାରିଖରେ ହେବ ପାଟକୁରାରେ ମତଦାନ । ନିର୍ବାଚନ ମଇଦାନରେ ପ୍ରମୁଖ ରାଜନୈତିକ ଦଳ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, କଂଗ୍ରେସର ଜୟନ୍ତ ମହାନ୍ତି ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ପୂର୍ବତନ ବିଧାୟକ ସ୍ଵର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରୱାଲ ଶାସକ ଦଳ ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଆଉ ୬ ଜଣ ଲଢୁଛନ୍ତି ନିର୍ବାଚନ । କିନ୍ତୁ ବିଜେଡ଼ି-ବିଜେପି ମଧ୍ୟରେ କଡା ମୁକାବିଲା ହେବ । ହେଲେ କିଏ ଜିତିବ ସ୍ପଷ୍ଟ ଚିତ୍ର ମିଳୁନି । ପାଟକୁରା ବାଜି ଜିତିବା ପାଇଁ ଉଭୟ ବିଜେଡ଼ି ଓ ବିଜେପି ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି ।


ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ହେଉଛି ପାଟକୁରାରୁ ବିଜୟ ନା ସାବିତ୍ରୀ ? ଏ ନେଇ ବିଭିନ୍ନ ମହଲରେ ନାନା ମତ ପ୍ରକାଶ ପାଉଛି । କେତେକ ଜନମତ ବିଜୟଙ୍କ ସପକ୍ଷରେ ଯିବ ବୋଲି କହୁଥିବା ବେଳେ ଆଉ କେତେକଙ୍କ ମତ ସଫଳତା ସରକାରୀ ଦଳକୁ ମିଳିବ । ଏହାର ଯୁକ୍ତି ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ । ସେ ପ୍ରଚାରରେ ଯାଇ ପାଟକୁରାର ବିକାଶ ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଭୋଟର ବିଜେଡ଼ି ଆଡକୁ ଢଳିବେ । ଦ୍ଵିତୀୟ କଥା ହେଲା ସଚେତନ ଭୋଟର ଶାସକ ଦଳ ବିପକ୍ଷରେ ମତଦାନ କରିବାକୁ କେବେ ହେଲେ ପସନ୍ଦ କରିବେ ନାହିଁ । ନବୀନଙ୍କ ପ୍ରାର୍ଥୀ ଉପରେ ଆସ୍ଥା ପ୍ରକଟ କରିବେ ।


ସେହିପରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କହୁଥିବା ଲୋକଙ୍କ ମତ ହେଲା ବିଜୟ ବିଧାନସଭାକୁ ଯାଆନ୍ତୁ ବୋଲି ଦଳମତ ନିର୍ବିଶେଷରେ ଅନେକ ଚହୁଁଛନ୍ତି । କିଛି ନେତାଙ୍କ ବ୍ୟକ୍ତିଗତ ମତ ମଧ୍ୟ ସେଇଆ । ତାହାଛଡା ଦୁଇ ଥର ନିର୍ବାଚନ ଘୁଞ୍ଚିବା ପରେ ବିଜୟ ଗାଁ-ଗାଁ ବୁଲି ବହୁ ଲୋକଙ୍କୁ ଭେଟି ତାଙ୍କୁ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି । ଏହାର ପ୍ରଭାବ ରହିବ ବୋଲି କୁହାଯାଉଛି ।


ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ନେତାମାନଙ୍କର ଭୂମିକା । ନିଜ ଦଳର ପ୍ରାର୍ଥୀଙ୍କ ଲାଗି ସମସ୍ତେ ପ୍ରଚାର କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଏମାନଙ୍କର ଭୂମିକା କଣ ରହିବ ତାହା କାହାରୀକୁ ଜଣାନାହିଁ । ଯଦି ଏହି ନେତାମାନେ ନିଜ ଦଳ ସପକ୍ଷରେ ନଯାଇ କିଛି ଏପାଖ ସେପାଖ କରନ୍ତି ତାହେଲେ ଚିତ୍ର ବଦଳିଯାଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ତେବେ ଯାହା ହେଉନା କାହିଁକି ବିଜେଡ଼ି କିମ୍ବା ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ କେହି ଜଣେ ଜିତିବେ । ଯେହେତୁ ବିଜେଡ଼ିର ପଲା ଭାରି ରହିଛି ସେଥିପାଇଁ ସାବିତ୍ରୀଙ୍କ ବିଜୟ ନେଇ ଏହି ଦଳର ନେତାମାନେ ଅଧିକ ଆଶାବାଦୀ । ତେବେ ପାଟକୁରାରୁ ସାବିତ୍ରୀ ନା ବିଜୟ କିଏ ଜିତିବ ତାହା ୨୪ ତାରିଖ ଭୋଟ ଗଣତି ବେଳେ ସ୍ପଷ୍ଟ ହୋଇଯିବ ।

ମତାମତ ଦିଅନ୍ତୁ ।