ପାର୍ବଣ ଋତୁରେ ଷ୍ଟେଟ ବ୍ୟାଙ୍କ ଦେଲା ଗ୍ରାହକଙ୍କୁ ଶସ୍ତା ଲୋନର ଉପହାର

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପାର୍ବଣ ଋତୁରେ ବଡ ଘୋଷଣା କରିଛି। କମ ସୁଧାରେ ହୋମ ଲୋନ ଓ କାର ଲୋନ। ପର୍ସନଲ ଲୋନ ପରିଶୋଧ ପାଇଁ ମଧ୍ୟ ଗ୍ରାହକଙ୍କୁ ଅଧିକ ସମୟ ଦିଆଯିବ। ପ୍ରୋସେସିଙ୍ଗ ଫିରେ ରିହାତି ସହିତ ଗ୍ରାହକ ଡିଜିଟାଲ ଲୋନର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି। ହେଲେ କେତେ ଦିନ ପର୍ଯ୍ୟନ୍ତ ଏହି ଅଫର ଉପଲବ୍ଧ ହେବ ସେନେଇ ବ୍ୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। କୁହାଯାଉଛି ଏସବିଆଇ ପରେ ଅନ୍ୟ ବ୍ୟାଙ୍କ ଗୁଡିକ ଏଭଳି ଅଫର ଆଣି ପାରନ୍ତି।

ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ପୂଜା ସିଜନ ଅବସରର କାର ଲୋନ ଉପରେ ପ୍ରୋସେସିଙ୍ଗ ଫି ଛାଡ କରିଛି। ସର୍ବନିମ୍ନ ସୁଧହାରରେ ଗ୍ରାହକଙ୍କୁ ଏହି ଲୋନ ଦେବାକୁ ଯାଉଛି। ଯାହାର ସୁଧହାର 8.70 ପ୍ରତିଶତରୁ ଆରମ୍ଭ ହେବ। ଏସ୍କେଲେଶନ ଚାର୍ଜ ମଧ୍ୟ ଦେବାକୁ ପଡିବନି। ଯେଉଁ ଗ୍ରାହକମାନେ କାର ଲୋନ ପାଇଁ ବ୍ୟାଙ୍କ ଡିଜିଟାଲ ପ୍ଲାଟଫର୍ମ ୱାଇଓଏନଓ ୱେବସାଇଟରୁ ଆବେଦନ କରନ୍ତି ସେମାନଙ୍କୁ 25 ବେସିସ ପଏଣ୍ଟ (୧୦୦ ବିପିଏସ =୧%)ର ଅତିରିକ୍ତ ଲାଭ ମିଳିବ। ଚାକିରି କରିଥିବା ଗ୍ରାହକମାନେ କାରର ଦାମର ୯୦ ପ୍ରତିଶତ ଲୋନ ଆକାରର ନେଇ ପାରିବେ । 

ବର୍ତ୍ତମାନ ସମୟରେ ଷ୍ଟେଟ ବ୍ୟାଙ୍କ 8.5 ପ୍ରତିଶତ ସୁଧହାରରେ ରିପୋ ଲିଙ୍କ୍ ହୋମଲୋନ ଯୋଗାଉଛି। ସେପ୍ଟେମ୍ୱରରୁ ଏହି ଦର ପୁରୁଣା ଓ ନୂଆ ଲୋନ ଧାରକଙ୍କ ପାଇଁ ଲାଗୁ ହେବ। ୨୦ ଲକ୍ଷ ପର୍ଯ୍ୟନ୍ତ ପର୍ସନଲ ଲୋନ ଉପରେ ସର୍ବନିମ୍ନ ସୁଧହାର ୧୦.୭୫ ପ୍ରତିଶତରୁ ଆରମ୍ଭ ହେଉଛି। ଏହି ଲୋନକୁ ପରିଶୋଧ କରିବାର ସମୟସୀମା ସର୍ବାଧିକ ୬ବର୍ଷ ପର୍ଯ୍ୟନ୍ତ ରହିଛି। ଏହାଦ୍ଵାରା ଗ୍ରାହାକଙ୍କ ଉପରେ ଇଏମଆଇ ବୋଝ ଅନେକ ମାତ୍ରାରେ ହ୍ରାସ ପାଇବ।

ମତାମତ ଦିଅନ୍ତୁ ।