ପିଆଜ ଦର ନଭେମ୍ବରରୁ କମିବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପିଆଜ ଦର ବଢୁଛି। ଏହି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ବାଢୁଥିବା ବେଳେ ସରକାରଙ୍କ ପାଖରେ କୌଣସି ଉପାୟ ନାହିଁ। କେତେକ ସ୍ଥାନରେ ପିଆଜର କିଲୋ ପ୍ରତି ମୂଲ୍ୟ ୫୦ ଟଙ୍କା ଅତିକ୍ରମ କଲାଣି। କିନ୍ତୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ନଭେମ୍ବରରୁ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ଚିନ୍ତା କରୁଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଏନେଇ ସମୀକ୍ଷା କରାଯିବ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ ମହାରାଷ୍ଟ୍ରର ନାସିକରେ ବନ୍ୟା ଯୋଗୁଁ ଦର ବଢ଼ିଛି। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ସହ କଥାହେବୁ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରେ ପିଆଜ ଦର ୫୦ ଟପିଛି। ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ଖୁଚୁରା ଦର ୫୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ୬୦ ଟପିଛି। ଆଗକୁ ସ୍ଥିତି ଆହୁରି ସଂଗିନ୍ ହେବ। ବ୍ୟବସାୟୀମାନେ କହିଲେଣି ୨୦୧୫ ମସିହା ଭଳି ପିଆଜ ଦର ୮୦ ଟଙ୍କାକୁ ଛୁଇଁବ। ରପ୍ତାନୀ କଟକଣାକୁ ବାଦ୍ ଦେଲେ ଦର ନିୟନ୍ତ୍ରଣର କୌଣସି ବିକଳ୍ପ ପନ୍ଥା ନାହିଁ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।