ପେଟିଏମ୍ ଗ୍ରାହକଙ୍କୁ ଝଟକା

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ବ୍ୟାଙ୍କରେ ସେଭିଙ୍ଗସ ଆକାଉଣ୍ଟ ଜରିଆରେ ଟଙ୍କା ନିବେଶ କରି ଅଧିକ ଟଙ୍କା ବଢ଼ାଇବା ପାଇଁ ଚେଷ୍ଟା କରନ୍ତି। କାରଣ ବ୍ୟାଙ୍କରେ ଟଙ୍କା ରଖିଲେ ପ୍ରତି ୩ ମାସରେ ଥରେ ଜମା ରାଶିର ସୁଧ ଟଙ୍କା ମିଳିଥାଏ। ଏବେ କିନ୍ତୁ ମିଳୁଥିବା ସୁଧ ହାର କମାଇ ଦେଇଛି ମୋବାଇଲ୍ ଆପ୍ ଦ୍ୱାରା ପରିଚାଳିତ ହେଉଥିବା ବ୍ୟାଙ୍କ ପେଟିଏମ୍।

ଯେଉଁମାନେ ପେଟିଏମ୍ ବ୍ୟାଙ୍କର ସେଭିଙ୍ଗସ ଆକାଉଣ୍ଟରେ ଟଙ୍କା ଜମା ରଖିଛନ୍ତି ସେମାନଙ୍କୁ ପୂର୍ବ ପରି ମିଳୁଥିବା ସୁଧ ହାର ତୁଳନାରେ କମ୍ ଟଙ୍କା ଆଗାମୀ ଦିନରେ ମିଳିବ ବୋଲି ପେଟିଏମ୍ କହିଛି। ଏହି ନୂଆ ନିୟମ ନଭେମ୍ୱର ୧ରୁ ଲାଗୁ ହେବ।

ସୂଚନାଯୋଗ୍ୟ, ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୫.୧୫କୁ କମାଇଛନ୍ତି। ଏହାପରେ ସମସ୍ତ ବ୍ୟାଙ୍କ ତାଙ୍କ ଗ୍ରାହକଙ୍କୁ ଜମାରାଶି ଉପରେ ଦେଉଥିବା ସୁଧ ହାର କମାଇଦେଇଛନ୍ତି। ଏସବିଆଇ ମଧ୍ୟ ନିକଟରେ ସୁଧ ହାର କମାଇଛି ବୋଲି ଘୋଷଣା କରି ସାରିଛି। ଜମାରାଶିର ୩.୫୦ ପ୍ରତିଶତ ସୁଧହାରରେ ଟଙ୍କା ମିଳୁଥିବାବେଳେ ଏବେ ଏହା ୦.୨୫ ପ୍ରତିଶତ କମି ୩.୨୫ ପ୍ରତିଶତ ହୋଇଛି।

ଏଥିସହ ପେଟିଏମ୍ ନିଜ ଗ୍ରାହକଙ୍କ ପାଇଁ ନଭେମ୍ୱର ମାସରୁ ଫିକ୍ସଡ୍‌ ଡିପୋଜିଟ୍ ସେବା ଯୋଗାଇ ଦେବାକୁ ଯାଉଛି। ଏ ନେଇ ପେଟିଏମର ଏମଡି ସତୀଶ କୁମାର ଗୁପ୍ତା କହିଛନ୍ତି, ଜଣେ ଗ୍ରାହକ ଚାହିଁଲେ ୧ ଟଙ୍କା ଦେଇ ଏଫଡି ଆରମ୍ଭ କରିପାରିବ। ଗ୍ରାହକମାନେ ଯେକୌଣସି ସମୟରେ ବିନା କୌଣସି ଦେୟରେ ଏଫଡି ଜମାରାଶିକୁ ନେଇପାରିବେ। ପ୍ରତି ଏଫଡି ପିଛା ୭.୫ ପ୍ରତିଶତ ସୁଧ ମିଳିବ ବୋଲି ସତୀଶ କହିଛନ୍ତି।

ମତାମତ ଦିଅନ୍ତୁ ।