ପେଟ୍ରୋଲ-ଡିଜେଲ ଦାମ୍ ବଢ଼ିବ

ନୂଆଦିଲ୍ଲୀ : ସାଉଦି ଆରବ ତେଲ କାରଖ‌ାନାରେ ଡ୍ରୋନ୍ ଆକ୍ରମଣ ପରେ ଆନ୍ତର୍ଜାତିକ ବଜାରରେ ତେଲଦର ତେଜିଛି। ଅଶୋଧିତ ତେଲର ଦର ଗତକାଲି ବ୍ୟାରେଲ ପିଛା ୧୨ ଡଲାର ବୃଦ୍ଧି ପାଇ ୭୨ ଡଲାରରେ ପହଞ୍ଚିଛି। ଏହି ସଙ୍କଟ ପରିସ୍ଥିତି ସରକାରଙ୍କୁ ଚିନ୍ତାରେ ପକାଇଛି। ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସରକାର ଯୋଜନା କରୁଥିବା ବେଳେ ୮୩% ତେଲ ଆମଦାନୀ କରୁଥିବା ଭାରତ ପାଇଁ ସୃ‌ଷ୍ଟି ହୋଇଛି ନୂଆ ସମସ୍ୟା।

ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆବରର ତେଲ ଉତ୍ପାଦନ ଅଧା ବନ୍ଦ ହୋଇଯାଇଛି। ସ୍ଥିତି ସୁଧୁରିବାକୁ ମାସେ ଲାଗିପାରେ। ଏହି କାରଣ ପାଇଁ ବିଶ୍ଵ ବଜାରରେ ଅଶୋଧିତ ତେଲ ଦର ୧୦% ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୫ରୁ ୬ ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ଅଧ୍ୟକ୍ଷ ଏମ୍ କେ ସୁରାନା କହିଛନ୍ତି ଯେ, ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିବ ତେବେ ପେଟ୍ରୋଲ୍ ପମ୍ପ୍‌ରେ ବିକ୍ରି ହେଉଥିବା ‌ତେଲ ଦାମ୍ ବଢ଼ିଯିବ। ତେଲ କଂପାନିଗୁଡ଼ିକ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍‌ର ନୂତନ ଦର ନିର୍ଧାରଣ କରୁଥିବାରୁ ଆନ୍ତର୍ଜାତିକ ବଜାରରେ ଦର ବୃଦ୍ଧିର ପ୍ରଭାବ ପେଟ୍ରୋଲ୍‌ର ଖୁଚୁରା ଦରରେ ଶୀଘ୍ର ପ୍ରତିଫଳିତ ହେବ।

ମତାମତ ଦିଅନ୍ତୁ ।