ପ୍ରତିବଦ୍ଧତାର ସହ କାର୍ଯ୍ୟକରିବାକୁ ଲୋକସଂପର୍କ ଅଧିକାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଉପଖଣ୍ଡ, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସୂଚନା ଅଧିକାରୀ ବା ତତୂଲ୍ୟ ଅଧିକାରୀମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଯୋଜନାର ସଫଳ ପ୍ରଚାର ପ୍ରସାର ହେଉଛି। ଏହା କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ। ଏଥିସହ ପ୍ରତିବଦ୍ଧତାର ସହ କାର୍ଯ୍ୟ ସଂପାଦନ କରିବାକୁ ସେ ଲୋକସଂପର୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ବୁଧବାର ସୂଚନା ଓ ଲୋକ ସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମ୍ମିଳନୀରେ ଯୋଗଦେଇଥିଲର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ। ୫-ଟି ଆଧାରରେ ତ୍ୱରିତ କାର୍ଯ୍ୟ ନିର୍ବାହ କଲେ ବିଭାଗୀୟ କାର୍ଯଶୈଳୀରେ ପରିବର୍ତ୍ତର୍ନ ଆସିବ ବୋଲି କହିଥିଲେ। ସମ୍ମିଳନୀରେ ଯୋଗଦେଇ ବିଭାଗୀୟ କମିଶନର ସଂଜୟ କୁମାର ସିଂହ କହିଲେ ଅଧୁନା ସୂଚନା ଓ ସମ୍ବାଦ ସରବରାହ କ୍ଷେତ୍ରରେ ଗଣମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ମିଡିଆର ବହୁଳ ବ୍ୟବହାର ବଢିଛି। ଲୋକଙ୍କ ଆଶା, ଆକାଙ୍କ୍ଷା ଓ ଦାବୀକୁ ଶୀଘ୍ର ପୂରଣ କରିବା ଦିଗରେ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରିବାକୁ କହିଥିଲେ। ରାଜ୍ୟ ସରକାର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନେଇ କଟକଣା ଜାରି କରିଛନ୍ତି। ତେଣୁ ଜିଲ୍ଲା ସ୍ତରରେ ଅନୁଷ୍ଠିତ ସଭା, ସମିତିରେ ପ୍ଲାଷ୍ଟିକ୍ ନିର୍ମିତ ଗ୍ଲାସ, ପାଣି ବୋତଲ ଆଦିର ବ୍ୟବହାର ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ଲୋକ ସଂପର୍କ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଏ ଦିଗରେ ଜିଲ୍ଲାପାଳମାନଙ୍କ ସହଯୋଗ ନେବାକୁ କହିଥିଲେ।

ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ବିଭାଗୀୟ କାର୍ଯ୍ୟକୁ ଉପଖଣ୍ଡରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁ ଦୃଷ୍ଟିକୋଣରୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ଜନକଲ୍ୟାଣକାରୀ ଯୋଜନା ସଂପର୍କିତ ସଫଳ କାହାଣୀ ପ୍ରକାଶନ, ପ୍ରସାରଣ ଓ ପ୍ରାମାଣିକ ତଥ୍ୟ ସଂରକ୍ଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ନିରଂଜନ ସେଠୀ ଜିଲ୍ଲାରୁ ଆସିଥିବା ଲୋକ ସଂପର୍କ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବଙ୍କ ପରାମର୍ଶ କ୍ରମେ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ସୁବାସ ଚନ୍ଦ୍ର ସୁପକାର, ଉପ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ପ୍ରମୋଦ କୁମାର ମଲ୍ଲିକ, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।