Breaking Newsରାଜ୍ୟ

ପ୍ରଫେସର ଡା. ଦତ୍ତେଶ୍ୱର ହୋତା ଏସ୍‌ସିବି ଅଧ୍ୟକ୍ଷ

କଟକ: ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଏସ୍‌ସିବି ମେଡିକାଲ୍‌ କଲେଜର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ହୋତା ଆଜି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏସ୍‌ସିବି ଅଧ୍ୟକ୍ଷ ପଦରୁ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ଅବସର ନେବା ପରେ ଡାକ୍ତର ହୋତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

ଡାକ୍ତର ହୋତା କହିଛନ୍ତି ଯେ ଏସ୍‌ସିବିରେ ଯେପରି ଅଧିକରୁ ଅଧିକ କରୋନା ପରୀକ୍ଷା ହୋଇପାରିବ ସେଥିପ୍ରତି ସେ ଧ୍ୟାନ ଦେବେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଓ ତାଲିମ ଉପରେ ଗୁରୁତ୍ୱ ଦିଆଯିବ। ଏସ୍‌ସିବିକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ କରିବା ପାଇଁ ସରକାରଙ୍କ ଯୋଜନାର ସଫଳ ରୂପାୟନ ଦିଗରେ ମଧ୍ୟ ସେ ଗୁରୁତ୍ୱ ଦେବେ ବୋଲି ଡାକ୍ତର ହୋତା କହିଛନ୍ତି ।

ସୂଚନାଯୋଗ୍ୟ, ଏସ୍‌ସିବିରେ କିଡ୍‌ନୀ ପ୍ରତିରୋପଣ ୟୁନିଟ୍‌ ଆରମ୍ଭ କରି, ବିଶେଷକରି ସରକାରୀ ଡାକ୍ତରଖାନାର ଭିତ୍ତିଭୂମିରେ କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ବା ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ ସଫଳତାର ସହ ସଂପନ୍ନ କରି ଡାକ୍ତର ହୋତା ରାଜ୍ୟ ସମେତ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ଡାକ୍ତର ହୋତାଙ୍କ ଉଦ୍ୟମ ଓ ନେତୃତ୍ୱରେ ଏସ୍‌ସିବିରେ ଇତିମଧ୍ୟରେ ୨୦୦ କିଡ୍‌ନୀ ପ୍ରତିରୋପଣ ସମ୍ଭବ ହୋଇଛି ।

ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମସିଆଇ)ରେ ଓଡ଼ିଶାକୁ ୧୦ବର୍ଷ ଧରି ସେ ପ୍ରତିନିଧିତ୍ୱ କରିଛନ୍ତି । ପିଜି କମିଟି ଅଧ୍ୟକ୍ଷ, ମାଇଗ୍ରେସନ୍‌ କମିଟି ଅଧ୍ୟକ୍ଷ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିବା ପରେ ଡାକ୍ତର ହୋତା ଏବେ ଜାତୀୟ ମେଡିକାଲ୍‌ କାଉନସିଲ୍‌କୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ୨୦୦୯ ମସିହାରେ ଏସ୍‌ସିବିରେ ୟୁରୋଲୋଜି ଏମ୍‌ସିଏଚ୍‌ ପାଠ୍ୟକ୍ରମ ଆରମ୍ଭ କରିବାରେ ଡାକ୍ତର ହୋତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ସମ୍ମାନଜନକ ବି.ସି ରାୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଜାତୀୟ ସମ୍ମାନ ଲାଭ କରିବାରେ ଡାକ୍ତର ହୋତା ରାଜ୍ୟରେ ଦ୍ୱିତୀୟ ଚିକିତ୍ସକ ଅଟନ୍ତି।

ମତାମତ ଦିଅନ୍ତୁ ।

Back to top button